ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଯେଉଁ ନାଁ ଲେଖା ରହିଥିଲା ତାହା ସମ୍ପୂର୍ଣ୍ଣ ମିଛ । ଆର କେ ଶର୍ମା ବୋଲି ସେମିତି କିଛି ପ୍ରମାଣ ମିଳୁନି । କେବଳ ଏହି ନାଁ ବ୍ୟବହାର କରାଯାଇ ଏତେ ବଡ଼ ତାଣ୍ଡବ ରଚାଯାଇଛି । ଏ ହେଉଛି ବଲାଙ୍ଗିର ପାଟଣାଗଡ଼ ଗାଁରେ ଘଟିଥିବା ଲୋମ ଟାଙ୍କୁରା ଘଟଣାର ବାସ୍ତବତା ।
ଯାହା ଏବେ ତଦନ୍ତରେ ପୁଲିସ ଜାଣିବାକୁ ପାଇଛି । ଫେବ୍ରୁଆରୀ ୧୫ରେ ପାର୍ସଲ ପ୍ରସ୍ତୁତ ହୋଇଥିଲା । ୧୬ ତାରିଖ ରାୟପୁରରୁ ପାର୍ସେଲ ଆସି ସମ୍ବଲପୁରରେ ପହଁଚିଥିଲା । ଏହାପରେ ଭାୟା ବଲାଙ୍ଗୀର ଦେଇ ପାର୍ସଲ ପାଟଣାଗଡ଼ ସ୍କାଏ କିଙ୍ଗ୍ର ଏଜେନ୍ସି ମାଧ୍ୟମରେ ସିଧା ଶେଖରଙ୍କ ଘରେ ପହଁଚିଥିଲା । ପ୍ରାଥମିକ ତଦନ୍ତରୁ ଏହି ସୂଚନା ପାଇଛି ପୁଲିସ । ସେପଟେ ଘଟଣାର ତଦନ୍ତ କରୁ କରୁ ପୁଲିସ ସ୍କାନରକୁ ଆସିଛି କୋରିୟର ସଂସ୍ଥା ।
ଯାହାର ଭୂମିକା ବେଶି ସନ୍ଦେହ ଘେରରେ ରହିଛି । କାରଣ ପାର୍ସଲ ଆସିବାଠୁ ଫୁଟିବା ଯାଏଁ କୋରିୟର ସଂସ୍ଥାରେ ଲାଗିଥିବା ସିସିଟିଭି ଫୁଟେଜ ଗାଏବ ରହିଛି । ଯାହା ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି । ସେପଟେ ରାୟପୁର ଯାଇଥିବା ପୁଲିସ ଟିମ୍ ପାର୍ସଲ ବୁକ୍ କରିଥିବା ଓ ପଠାଇଥିବା ସ୍କାଏକିଙ୍ଗ୍ କୋରିଅର ରେ ପହଁଚି ଛାନଭିନ କରିଛି । ବୁକିଂ ସ୍ଲିପ୍, ମନିରସିଦ୍ ନେଇ ସବୁ କିଛି କୁ ତନତନ କରି ଯାଁଚ କରିଛି । କେବଳ ଏତିକି ନୁହେଁ ପାର୍ସଲ ପଠାଯିବା ସମୟରେ ନିୟମକୁ ସଂସ୍ଥା ପକ୍ଷରୁ ଅଣଦେଖା କରାଯାଇଛି । ନିୟମ କହୁଛି କୌଣସି ବି ପାର୍ସଲ ଯଦି ୨ କେଜିରୁ ଅଧିକ ହୁଏ, ତା’ ହେଲେ ପଠାଇଥିବା ବ୍ୟକ୍ତିିଙ୍କ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ ।
କିନ୍ତୁ ଏହି ପାର୍ସଲ କ୍ଷେତ୍ରରେ ତାହା କରାଯାଇନାହିଁ । ତେଣୁ ସଂସ୍ଥାର କାର୍ଯ୍ୟକୁ ନେଇ ପୁଲିସ ଅତି ସର୍ତକର ସହ ତଦନ୍ତ ଚଳାଇଛି । ତେବେ ଏଭଳି କାଣ୍ଡ ଭିଆଇଥିବା ପର୍ଦ୍ଦାପଛର ସେହି ଅପରାଧୀ ଜଣକ କାହା ଉପରେ ପ୍ରତିଶୋଧ ନେବାକୁ ଏଭଳି ଭୟଙ୍କର ଷଡ଼ଯନ୍ତ୍ର କରିଥିଲା ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଶେଖରଙ୍କ ବାହାଘର ଓ ରିସେପ୍ସନ୍ ତାରିଖ ସମ୍ପର୍କରେ କିନ୍ତୁ ଅବଗତ ଥିବା ଓ ତାଙ୍କ ପରିବାରକୁ ଭଲ ଭାବେ ଜାଣିଥିବା କେହି ଏହା ପଛରେ ରହିଥିବା ପୁଲିସ୍ ସନ୍ଦେହ କରୁଛି ।
ତେଣୁ ସମ୍ପର୍କୀୟଙ୍କୁ ମଧ୍ୟ ସ୍କାନରକୁ ନେଇଛି ପୁଲିସ । ମୋଟିଭ୍ ଜଣାପଡ଼ିଗଲେ ଅପରାଧୀ ପାଖରେ ପହଁଚିବା ସମ୍ଭବ ହେବ ବୋଲି ପୁଲିସ କହିଛି । ଅପରପକ୍ଷରେ ଘଟଣାର ସିବିଆଇ ତଦନ୍ତ ଲାଗି ମୃତକଙ୍କ ପିତା ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁ ଦାବି କରିଛନ୍ତି ।