ଭୁବନେଶ୍ୱର (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କ୍ଷୁଦ୍ର ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଠକେଇର ଶିକାର ହୋଇଛନ୍ତି । ଇଣ୍ଡିଆନ୍ ଓଭରସିସ ବ୍ୟାଙ୍କ (ଆଇଓବି) ମାଷ୍ଟର କ୍ୟାଣ୍ଟିନ ଶାଖାରୁ ସେ ୨.୨ କୋଟି ଟଙ୍କା ଋଣ ନେଇଥିବା କୁହାଯାଉଛି । କିନ୍ତୁ ଏନେଇ ସଂପୃକ୍ତ ବ୍ୟବସାୟୀ ଜଣକ କିଛି ଜାଣିନଥିବା କହିଛନ୍ତି ।
ବ୍ୟବସାୟୀଙ୍କ କହିବାନୁଯାୟୀ, ଏଭଳି କୌଣସି ଋଣ ମୁଁ ବ୍ୟାଙ୍କରୁ ନେଇ ନାହିଁ କିମ୍ବା ଏ ବିଷୟରେ ମୋର କୌଣସି ପ୍ରକାରର ଧାରଣା ନାହିଁ । ମାତ୍ର ଏନେଇ ମୁଁ ପଚରାଉଚରା କରିଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମୋତେ ଦୁର୍ବ୍ୟବହାର କରିଥିଲେ । କୌଣସି ପ୍ରକାରର ସହଯୋଗ କରିନଥିବା ବେଳେ ଏହି ସମ୍ପର୍କରେ ସଠିକ ସୂଚନା ମଧ୍ୟ ଦେଇନଥିଲେ ।
ପାଖାପାଖି ୩ ଘଣ୍ଟାର ଅପେକ୍ଷା ପରେ ସେମାନେ ଅଭିଯୋଗ ଗ୍ରହଣ କରିଥିଲେ । ତେବେ ଏହି ଠକେଇରେ ବ୍ୟାଙ୍କ ଅଧିକାରୀଙ୍କ ସଂପୃକ୍ତି କିମ୍ବା ଅନ୍ୟ କେହି ବ୍ୟକ୍ତି ତାଙ୍କର ଦସ୍ତାବିଜ୍ ବ୍ୟବହାର କରି ଋଣ ନେଇଥିବା ସନ୍ଦେହ କରିଛନ୍ତି ବ୍ୟବସାୟୀ ।
ଏନେଇ ବ୍ୟବସାୟୀ ଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପରେ ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ ।