ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଳ୍ପନା ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଆତଙ୍କ । ବ୍ୟାପକ ଭଙ୍ଗାରୁଜା ସାଙ୍ଗକୁ ନିର୍ଘାତ ମାଡ଼ । ଯେଉଁଥିରୁ ବର୍ତ୍ତିନଥିଲେ ମହିଳା କି’ ଶିଶୁ । ରାତି ସାଢ଼େ ୯ଟାରେ ଘଟିଥିବା ଏମିତି ଘଟଣା ବେଶ କିଛି ସମୟ ପୂରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା । ରାସ୍ତା ଜାମ ହୋଇଥିଲା । ଗାଡି ଚଳାଚଳ ଠପ ହୋଇଯାଇଥିଲା । ଏବେ ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି ।
ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଅଚାନକ ୪ଟି ବାଇକରେ ୧୦/୧୨ ଯୁବକ ଆସି ପହଞ୍ଚିଥିଲେ ଫାଷ୍ଟଫୁଡ ଦୋକାନରେ । ସମସ୍ତଙ୍କ ହାତରେ ଥିଲା କୋଦାଳ ବେଣ୍ଟ ଓ ବହ୍ଲା । କେହି କିଛି ବୁଝିବା ପୂର୍ବରୁ ସେମାନେ ଅଚାନକ ଆକ୍ରମଣ କରିଥିଲେ । ଯାହାକୁ ଦେଖିଥିଲେ ଗୋଡାଇ ଗୋଡାଇ ପିଟିଥିଲେ । ଖାଇବାକୁ ବସିଥିବା ସ୍ତ୍ରୀ ଲୋକମାନେ ଦୋକାନ ଛାଡି ଧାଇଁଥିଲେ । ଦୋକାନରେ ପଡିଥିବା ଚେୟାର ଟେବୁଲଙ୍କୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ସେମାନଙ୍କ ଏଭଳି ଉତ୍ପାତରେ ଏକ ଭୟର ବାତାବରଣ ଖେଳିଯାଇଥିଲା କିଛି ସମୟ ପାଇଁ । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବ୍ୟବସାୟିକ ଶତ୍ରୁତାକୁ ନେଇ ଏପରି ହୋଇଥିବା ଅନୁମାନ କରାଯାଉଛି ।