ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପାର୍ସଲ ବୋମା ଘଟଣାର ତଦନ୍ତକୁ ଆହୁରି ଜୋରଦାର କରିଛି ପୁଲିସ । ବାଙ୍ଗାଲୁରୁ ଯାଇଥିବା ପୁଲିସ ଟିମ ରବିବାର ୨ ସନ୍ଦିଗ୍ଧଙ୍କୁ ମାରାଥନ ଜେରା କରିଛି । ଜେରାରେ କିଛି ଠୋସ ତଥ୍ୟ ହାସଲ ହୋଇଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶେଖରଙ୍କ ଫେସବୁକ ଆକାଉଣ୍ଟ ବାହାଘରର ଠିକ ୭ଦିନ ପୂର୍ବରୁ ଡିଲିଟ କରାଯାଇଛି । ଯାହା ତଦନ୍ତରେ ଏବେ ସାମ୍ନାକୁ ଆସିଛି ।
ଯାହାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ? କାହିଁକି ଓ କେଉଁ ପରିସ୍ଥିତିରେ ଶେଖର ନିଜ ଫେସବୁକ ଆକାଉଣ୍ଟ ଡିଲିଟ କଲେ ତାହାର ମୂଳ କାରଣ ଖୋଜିବାକୁ ପୁଲିସ ସାଇବର ସେଲର ସହାୟତା ଲୋଡିଛି । କେବଳ ଏତିକି ନୁହେଁ ପୂରା ଘଟଣା ପଛରେ ଆଉ ଏକ କଥା ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି । ତାହା ହେଲା, ଯେ କେହି ବି ଏହି ଅଘଟଣ ଘଟାଇଛି ସେ ବାଙ୍ଗାଲୁରୁରୁ ଆସି ରାୟପୁରରେ ପହଞ୍ଚି କୋରିୟର ଯୋଗେ ପ୍ୟାକେଟ ପଠାଇଛି । ଏନେଇ ପକ୍କା ସୁରାକ ପାଇଛି ପୁଲିସ ।
ତେବେ ସେ କିଏ? ତାହା ଜଣାପଡିନି । ସେପଟେ ଶନିବାର ଘଟଣାରେ ଗୁରୁତର ଆହତ ହୋଇ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଥିବା ରୀମାଙ୍କ ବୟାନ ରେକର୍ଡ କରାଯାଇଛି । ତାଙ୍କଠୁ ମିଳିଥିବା ତଥ୍ୟର ଖିଅକୁ ଯୋଡି ପୁଲିସ ଗଣ୍ଠି ପାଖରେ ପହଁଚିବାକୁ ପ୍ରୟାସ ଚଳାଇଛି । ସବୁ ସ୍ତରକୁ ଯାଇ ଘଟଣା ପଛର ମୋଟିଭ ଜାଣିବାକୁ ଚେଷ୍ଟା କରୁଛି ପୁଲିସ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ରୀମାଙ୍କ ପଟରୁ ସବୁ ତଦନ୍ତ କରିସାରିଛି ପୁଲିସ । ସେପଟୁ କୌଣସି ତଥ୍ୟ ମିଳିନଥିବା ବେଳେ ଏପଟେ ଶେଖରଙ୍କ ପଟୁ ତଦନ୍ତ ଆରମ୍ଭ ବେଳକୁ ଆକାଉଣ୍ଟ ଡିଲିଟ କିଛି ନା କିଛି କାରଣକୁ କବର ଦେଇଥିବା ପୁଲିସ ସନ୍ଦେହ କରୁଛି ।
ପ୍ରଶ୍ନ ଉଠୁଛି, ଶେଖରଙ୍କୁ କିଏ ଧମକ ଦେଉଥିଲା କି? ଶେଖରଙ୍କ ଉପରେ ଏମିତି କେଉଁ ରାଗ ରହିଛି । ତାହା ଅଫିସ ନା’ ବ୍ୟକ୍ତିଗତ? କାହିଁକି ବାହାଘରର ୭ଦିନ ପୂର୍ବରୁ ହିଁ ଆକାଉଣ୍ଟ ଡିଲିଟ ହୋଇଛି, ତାହା ସବୁଠୁ ବଡ଼ ପ୍ରଶ୍ନ? ଫେସବୁକ ଜରିଆରେ କେହି ଶେଖରଙ୍କୁ ବ୍ଲାକମେଲିଂ କରୁଥିଲା କି? ଏମିତି ଅନେକ ପ୍ରଶ୍ନ ଏବେ ପୁଲିସ ଆଗରେ ଠିଆ ହୋଇଛି । ତେବେ ପୂରା ଘଟଣାକୁ ସାମ୍ନାକୁ ଆଣିବାକୁ ପୁଲିସ ଲାଗି ଚ୍ୟାଲେଞ୍ଜ ହୋଇଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ପରିବାର ପକ୍ଷରୁ ଦାବି ହୋଇଛି । ସୂଚନାଯୋଗ୍ୟ, ପାଟଣାଗଡ଼ରେ ନୂଆ କରି ବାହା ହୋଇଥିବା ଦମ୍ପତିଙ୍କୁ ଗିଫ୍ଟ ପ୍ୟାକେଟ ଜରିଆରେ ବୋମା ଦିଆଯାଇ ଏକ ପରିବାରକୁ ଛାରଖାର କରିଦେଇଥିଲେ କେହି ଦୁର୍ବୃତ । ଯାହା କେବଳ ପାଟଣାଗଡ଼ ନୁହେଁ ବରଂ ପୂରା ରାଜ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା ।
ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍କାନରରେ ରୀମାଙ୍କ ବନ୍ଧୁ, ଶେଖରଙ୍କ ଲ୍ୟାପଟପ ଯାଞ୍ଚ