ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଧୀରେ ଧୀରେ ଜଟିଳ ହେବାରେ ଲାଗିଛି ତଦନ୍ତ । ମିଳୁନି କିଛି ବି ଠୋସ ସୁରାକ । ଏପଟେ ମୋବାଇଲଠୁ ନେଇ ଶେଖରଙ୍କ ଫେସବୁକ ଆକାଉଣ୍ଟରେ ପହଁଚିଲାଣି ପୁଲିସ । ଏ ହେଉଛି ପାଟଣାଗଡ଼ରେ ହୋଇଥିବା ପାର୍ସଲ ବୋମା ବିଷ୍ଫୋରଣ ଘଟଣା । ସବୁଠୁ ବଡ଼କଥା ହେଉଛି ଏହି ଘଟଣାରେ ଏବେ ପ୍ରଥମ କରି ମୁହଁ ଖୋଲିଛନ୍ତି ରୀମା । ଶନିବାର ପୁଲିସ ତାଙ୍କ ବୟାନ ରେକର୍ଡ କରିଛି । ରୀମା ଏବେ ବି କଟକ ବଡ଼ ମେଡିକାଲରେ ଚିକିତ୍ସିତ । ବୋମା ବିଷ୍ଫୋରଣ ଘଟଣାରେ ସ୍ୱାମୀ ଶେଖର, ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତୁର ଭାବେ ଆହତ ହୋଇଥିଲେ ରୀମା । ସେପଟେ ସମୟ ପରେ ସମୟ ଗଡି ଚାଲିଛି । ବିତିଗଲାଣି ୯ଦିନ । କୋରିୟର ସଂସ୍ଥାଠୁ ନେଇ ଏବେ ପୁଲିସ ବାଙ୍ଗାଲୁରୁରେ ପହଞ୍ଚିଛି ।
ଘଟଣାରେ ରହସ୍ୟ ଖୋଜିବା ଲାଗି ପାଟଣାଗଡ଼ ପୁଲିସ ମୃତ ଶେଖରଙ୍କ ପତ୍ନୀ ରୀମାରାଣୀ ସାହୁଙ୍କ ବୟାନ ରେକର୍ଡ କରିଛି । ଶେଖର ପ୍ରଥମେ ପାର୍ସଲ ଖୋଲିଥିଲେ । ଏହା ପୂର୍ବରୁ ସେଭଳି କୌଣସି ଘଟଣା ନେଇ କିଏ ଫୋନ କରିଥିଲେ କି? ସେ ସମ୍ପର୍କରେ ରୀମା ପୁଲିସକୁ ଜଣାଇଛନ୍ତି । ବାହାଘର ପୂର୍ବରୁ ଓ ବାହାଘର ଦିନ କିଏ କିଏ ଆସିଥିଲେ ତାହାର କଚାଚିଠା ପ୍ରସ୍ତୁତ କରିଛି ପୁଲିସ ।
ଅପରପକ୍ଷରେ ୨ଟି ତଦନ୍ତକାରୀ ଟିମକୁ ସାମାନ୍ୟ କିଛି ସୁରାକ ମିଳିଥିବା ଜଣାପଡିଛି । ଶେଖରଙ୍କ ଚାକିରି ସ୍ଥାନ ବାଙ୍ଗାଲୁରୁରେ ପହଞ୍ଚିଛି ପୁଲିସ ଟିମ । ଶୁକ୍ରବାର ତାଙ୍କ ଲ୍ୟାପଟପ ମଧ୍ୟ ଜବତ କରି ଯାଞ୍ଚ ଚଳାଇଛି ପୁଲିସ । ତଦନ୍ତ ବେଳେ ପୁଲିସ ଟିମ ଜାଣିବାକୁ ପାଇଛି ଯେ ବାହାଘର ପୂର୍ବରୁ ଶେଖର ତାଙ୍କ ଫେସବୁକ ଆକାଉଣ୍ଟକୁ ଡିଲିଟ କରି ଦେଇଛନ୍ତି। ତେବେ କାହିଁକି ଆକାଉଣ୍ଟ ଡିଲିଟ ହୋଇଛି ତାହା ସବୁଠୁ ବଡ଼ପ୍ରଶ୍ନ? ଏହା ହିଁ ପୁଲିସକୁ ଅଧିକ ସନ୍ଦେହରେ ପକାଇଛି । ଘଟଣା ଉପରେ ତର୍ଜମା ଚାଲିଛି । ତଦନ୍ତ ବେଳେ କିଛି ପାରିପାଶ୍ୱିର୍କ ଓ ଅନ୍ୟ ପ୍ରମାଣ ଆଧାରରେ ତଦନ୍ତ ଆଗକୁ ବଢ଼ିଛି । କିଛି ସୁରାକ ମିଳିଛି । ଖୁବଶୀଘ୍ର ଘଟଣାର ମୋଟିଭ ଜଣାପଡିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ସୋଶିଆଲ ମେଡିଆକୁ ପରଖିବା ପାଇଁ ପୁଲିସ ସାଇବର ସେଲ ବିଶେଷଜ୍ଞମାନଙ୍କ ସହାୟତା ଲୋଡିଛି । ଶେଖରଙ୍କ ପତ୍ନୀଙ୍କ ଓରଫ୍ ରୀମାଙ୍କ ସହ ପରିଚୟ ଥିବା ଅନ୍ୟ ଜଣେ ଯୁବକ ଏବେ ସ୍କାନରକୁ ଆସିଛନ୍ତି । ତାଙ୍କ ଠିକଣା ଠାବ ହୋଇଛି ଓ ତାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ସୂଚନା ମିଳିଛି । ଖାଲି ଏତିକି ନୁହେଁ ଶେଖରଙ୍କ ବର୍ଷକ ତଳର ବିଭିନ୍ନ ଲିଙ୍କକୁ ପୁଲିସ୍ ଯାଞ୍ଚ କରୁଛି । ସେହି ସମୟରେ ସେ କାହା କାହା ସହ ମିଶିଥିଲେ । କାହିଁକି ଓ କେଉଁ କାରଣ ଯୋଗୁ ବାଙ୍ଗାଲୁରୁରେ ସେ ଏତେ ମାନସିକ ଚାପରେ ଥିଲେ ସେଭଳି କିଛି କାରଣ ଖୋଜିବାରେ ଲାଗିଛି ପୁଲିସ । ଯାହା ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବ ବୋଲି ପୁଳିସ ଆଶା ରଖିଛି ।
ତେବେ ସମସ୍ତ ଘଟଣାକୁ ନେଇ ପୁଲିସ ଗୋଟେ ପଟେ ଚିନ୍ତାରେ ଥିବା ବେଳେ ଏବେ ଚିଶ୍ଚିତ ହୋଇଛି ଯେ, ଯିଏ ବି ପାର୍ସଲ ପଠାଇଛି ସେ ଶେଖରଙ୍କୁ ହିଁ ଟାର୍ଗେଟ କରିଥିଲା । ଏଭଳି କରି ଅଭିଯୁକ୍ତ ଜଣକ ଶେଖରକୁ ହତ୍ୟା କରିବାକୁ ହିଁ ଚାହିଁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଯିଏ ପାର୍ସଲ କରିଛି ସମ୍ପୃକ୍ତ ଅଭିଯୁକ୍ତ ଜଣକ ବାଙ୍ଗାଲୁରୁ ଆସି ରାୟପୁରରୁ ପାର୍ସଲ ପଠାଇଥିବା ପୁଲିସ ସ୍ପଷ୍ଟ କରିଛି ।