ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସକୁ ଚକମା ଦେଇ ପୁଣି ଉତ୍ପାତ କରିଛନ୍ତି ଲୁଟେରା । ଭିଆଇପି ଏରିଆ କୁହାଯାଉଥିବା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ଝରକା ତାଡି ଲୁଟେରାମାନେ ଭିତରେ ପଶିବା ସହ ସୁନା ଅଳଙ୍କାର, ନଗଦ ଟଙ୍କା, କାର ଓ ସ୍କୁଟି ନେଇ ଚମ୍ପଟ ମାରିଛନ୍ତି ।
ଏହି ଘଟଣା ପରେ ପୁଣି ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ଉଠିଛି ସବୁଠୁ ବଡ଼ ପ୍ରଶ୍ନ । ଲୁଟର ଶିକାର ହୋଇଛନ୍ତି ସନ୍ତୋଷ କୁମାର ବେହେରା । ରିପୋର୍ଟ ଅନୁସାରେ, ସନ୍ତୋଷ ଏବଂ ତାଙ୍କ ପତ୍ନୀ ଶୈଳଶ୍ରୀବିହାର ଫେଜ୍ ୬ର ପ୍ଲଟ ନମ୍ବର ଜିଏ-୫୧୫ରେ ରହନ୍ତି । ତେବେ ସେମାନେ ବାହାରକୁ ଯାଇଥିବା ବେଳେ ଏହାର ଫାଇଦା ଉଠାଇଥିଲେ ଲୁଟେରା ।
ରାତିରେ ଝରକା ତାଡି ବେଶ ଆରାମରେ କଳାକନା ବୁଲାଇଥିଲେ । ସବୁଠୁ ବଡ଼ କଥା ହେଉଛି ଖାଲି ଅଳଙ୍କାର କି’ ଟଙ୍କା ଲୁଟ ହୋଇନାହିଁ ବରଂ ଘର ସାମ୍ନାରେ ଥିବା କାର ଓ ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି ଲୁଟେରା । ତେବେ ଏନେଇ ସୂଚନା ଦିଆଯିବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ଅଭିଯୋଗ ଉଠିଛି ଢ଼ିଲା ପାଟ୍ରୋଲିଂ ଯୋଗୁ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି ।