ନୟାଗଡ (ଏଟିଆର ବ୍ୟୁରୋ ) ; ତେନ୍ତୁଳି ଖଟା ନେଲା ଛାତ୍ରଙ୍କ ଜୀବନ । ସ୍କୁଲରେ ସାଙ୍ଗ ମାନଙ୍କ ସହ ତେନ୍ତୁଳି ଆଚାର ଖାଇ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇପଡିଛନ୍ତି । ଏଭଳି ଅଭାବନୀୟ ଘଟଣା ନୟାଗଡ ଜିଲ୍ଲାର ନରସିଂହ ପ୍ରସାଦ ୟୁ.ପି ସ୍କୁଲରେ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଗୁରୁତର ୩ ଜଣଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ଝିଅ ଥିବା ଜଣା ପଡିଛି ।
ସୂଚନା ଯୋଗ୍ୟ ବ୍ଲକଗ୍ରାଣ୍ଟ ଶିକ୍ଷକ ମାନଙ୍କ ଆନ୍ଦୋଳନ ଜାରି ରହିଥିବାରୁ ନୟାଗଡ ଜିଲ୍ଲାର ନରସିଂହ ପ୍ରସାଦ ୟୁ.ପି ସ୍କୁଲରେ ତାଲା ପଡିଥିଲା । ସ୍କୁଲ ବନ୍ଦ ଥାଇ ବି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ରାକେଶ ପରିଡା ସ୍କୁଲ ଯାଇଥିଲେ । ସେ ସାଙ୍ଗରେ ଘରୁ ତେନ୍ତୁଳି ଆଚାର ନେଇ ସ୍କୁଲ ଯାଇଥିଲେ । ସ୍କୁଲରେ ରାକେଶ ଏବଂ ତାଙ୍କର ୩ ଜଣ ସାଙ୍ଗ ମିଳିମିଶି ତେନ୍ତୁଳି ଖଟା କୁ ଖାଇଥିଲେ । ତେବେ ଖଟା ଖାଇବାର କିଛି ସମୟ ମଧ୍ୟରେ ହଠାତ ବାନ୍ତି କରିଥିଲେ ସମସ୍ତେ । ସେପଟେ ସଙ୍ଗେ ସଙ୍ଗେ ଖବର ପାଇ ପରିବାର ଲୋକେ ସେମାନଙ୍କୁ ନୟାଗଡ ଡାକ୍ତରଖାନକୁ ନେଇଯାଇଥିଲେ । କିନ୍ତୁ ସେଠାରେ ରାକେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରଣ କରାଯାଇଥିଲା । ତେବେ ବାଟରେ ରାକେଶଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ଗୁରୁତର ଥିବା ସୂଚନା ମିଳିଛି ।