ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ହଟ୍ଟଗୋଳ ଯୋଗୁଁ ଗୃହ ହେଲା ମୁଲତବି । ଆଜି ପୁଣି ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଗୃହରେ ଚାଲିପାରିଲାନାହିଁ ପ୍ରଶ୍ନକାଳ । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳରେ କମ୍ପିଲା ଗୃହ । ଚାରା ଦୁର୍ନୀତିକୁ ଅସ୍ତ୍ର କରି ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ । ଫଳରେ ବାଧ୍ୟ ହୋଇ ବିଧାନସଭାକୁ ମୁଲତବି ଘୋଷଣା କଲେ ବାଚସ୍ପତି ।
ଆଜି ବିଧାନସଭା ଆରମ୍ଭ ହେବା କ୍ଷଣି ପୁର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକରେ ଗୃହରେ ଶୋକପ୍ରସ୍ତାବ ଦିଆଯାଇଥିଲା । ତେବେ ଶୋକପାର୍ଥନା ସରିବା ମାତ୍ରେ କଂଗ୍ରେସ ବିଧାୟକ ମାନେ ଚାରା ଦୁର୍ନୀତିକୁ ନେଇ ନାରାବାଜି କରିଥିଲେ । ଏପରିକି ଗୃହର ମଧ୍ୟ ଭାଗକୁ କଂଗ୍ରେସର ବିଧାୟକମାନେ ଆସି ହଟ୍ଟଗୋଳ କରିଥିଲେ । ଚାରା ଦୁର୍ନୀତି ସମେତ ବହୁ ବଡ ବଡ ଦୁର୍ନୀତିକୁ ନେଇ ଗୃହରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଥିଲା । ସେପଟେ କଂଗ୍ରେସ ବିଧାୟକ ମାନଙ୍କ ଏପରି ହୋହାଲ୍ଲାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିବା ଜଣାପଡିଛି ।