ଝାରଖଣ୍ଡ (ଏଟିଆର ବ୍ୟୁରୋ ) ; ବିଜେପି ସାଂସଦଙ୍କ ପାଦ ଧୁଆ ପାଣି ସାଜିଲା ପାଦୁକ । ଭକ୍ତିରେ ପିଇଦେଲେ ବିଜେପି କର୍ମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରଖଣ୍ଡର ଗୋଟ୍ଟା ଅଞ୍ଚଳରେ । ଜଣେ ବିଜେପି ସାଂସଦଙ୍କ ପାଦ ଧୋଇ ସେଇ ପାଦ ଧୁଆ ପାଣିକୁ ପାଦୁକ ଭଳି ପିଇଦେଲେ ଜଣେ ବିଜେପି କର୍ମୀ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ସାଂସଦ ଜଣକର ନାମ ନିଶିକାନ୍ତ ଦୁବେ ବୋଲି ଜଣାପଡିଛି । ସେ ଏହି ଖବର ନିଜେ ଟ୍ୱିଟ କରି ଜଣାଇଛନ୍ତି । ସାଂସଦଙ୍କ ପାଦ ଧୁଆ ପାଣି ପାନ କରିଥିବା ବ୍ୟକ୍ତି ଜଣକ ପଙ୍କଜ ଶାହ ବୋଲି ଜଣା ପଡିଛି ।
ସୂଚନାଯୋଗ୍ୟ , ଏକ ପୋଲର ଶିଳାନ୍ୟାସ ପାଇଁ ଗୋଟ୍ଟା ଯାଇଥିଲେ ସାଂସଦ ନିଶିକାନ୍ତ ଦୁବେ । ସେଠାରେ ପଙ୍କଜ ସଭାଉପରେ ସାଂସଦଙ୍କ ବହୁ ପ୍ରଶଂସା କରିଥିଲେ । ସେ ଏହି ପୋଲ ଶିଳାନ୍ୟାସ କରିବା ପାଇଁ ଆସି ବହୁତ ବଡ ଉପକାର କରିଛନ୍ତି ବୋଲି ପଙ୍କଜ ନିଜ ଭାଷଣରେ କହିଥିଲେ । ଏହାସହ କଙ୍କଜ ସାଂସଦଙ୍କ ପାଦ ଧୋଇ ପାଦୁକ କରି ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ପରେ ଏକ ପାତ୍ରରେ ପାଣି ଆଣି ସାଂସଦଙ୍କ ପାଦ ଧୋଇ ଦେଇଥିଲେ ।
ଏହାପରେ ସମସ୍ତ ଲୋକଙ୍କ ସାମ୍ନାରେ ପଙ୍କଜ ସାଂସଦଙ୍କ ପାଦଧୁଆ ପାଣିକୁ ପାଦୁକ ଭଳି ପିଇଦେଇଥିଲେ । ଯାହା ଉପସ୍ଥିତ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଖାଲି ସେତିକି ନୁହେଁ ଉପସ୍ଥିତ ଲୋକମାନେ ପଙ୍କଜ ଭାଇ ଜିନ୍ଦାବାଦ ବୋଲି ନାରା ମଧ୍ୟ ପକାଇଥିଲେ । ସେପଟେ ଏହି ଘଟଣା କୁ ନେଇ ରାଜନୀତି ବେଶ ଗରମ ହୋଇଛି । ବହୁ ରାଜନେତା ସାଂସଦଙ୍କୁ ସମାଲୋଚନା କରିଛନ୍ତି । ଏଭଳି କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯାଥିବାର ଦେଖିବାକୁ ମିଳିଛି ।