ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଓଡିଶାର ନାଁକୁ ବଦନାମ କରୁଛି ଏୟାର ଓଡିଶା । ସାରା ବିଶ୍ୱରେ ଓଡିଶାର ନାଁରେ ଏବେ କଳାଦାଗ ଲଗାଇଛି ଏୟାର ଓଡିଶା ସଂସ୍ଥା । ଉଡାନ ଯୋଜନାରେ ଉଡାଣ ଭରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନରେ ବି ଶେଷରେ ବିଷ ଦେବାକୁ ପଛାଇନି ଏୟାର ଓଡିଶା ।
ସିଧା କହିବାକୁ ଗଲେ ହାୱାଇ ଚପଲ ପିନ୍ଧିଥିବା ଲୋକ ହାୱାଇ ଯାହଜରେ ବସିବାର ସ୍ୱପ୍ନ ଏବେ ଧୁଳିସାତ । ପୂରା ଘଟଣାକୁ ଦେଖିଲେ ଗୋଟିଏ କଥା ସାମ୍ନାକୁ ଆସୁଛି ଯେ, ସବୁ କାହାଣୀର ଖଳନାୟକ ସାଜିଛି ଏୟାର ଓଡିଶା । ଏୟାର ଓଡିଶାର ଓଡିଶା ମୁଖ୍ୟ ସନ୍ତୋଷ ପାଣୀ ଏବେ ଫେରାର । ତାଙ୍କ ନାମରେ ରହିଛି ଏକାଧିକ ମାମଲା । ବଳାକ୍ରାରଠୁ ଆରମ୍ଭ କରି ଠକାମୀ ଭଳି ସଗିଂନ ଅଭିଯୋଗରେ ଛନ୍ଦି ହୋଇଛନ୍ତି ସନ୍ତୋଷ ।
ବଡ଼କଥା ହେଉଛି ଏୟାର ଓଡିଶା ଯୋଗେ ସମସ୍ତଙ୍କୁ ଭୁଆଁ ବୁଲାଇବାକୁ ଯାଇ ସନ୍ତୋଷ ଏବେ କରିଛନ୍ତି ଅପଚେଷ୍ଟା । ଯାହାର ଫଳସ୍ୱରୂପ ଗୁଜୁରାଟ ଦିଲ୍ଲୀ, ଆସାମ, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ଉଡାଣ ଯୋଜନା ସଫଳ ଭାବେ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କେବଳ ଏୟାର ଓଡିଶା ଲାଗି ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ତଥା ଉଡାଣ ଯୋଜନା ଓଡିଶାରେ ଫେଲ ମାରିଛି । ଦୀର୍ଘ ୨ମାସ ଧରି ରାୟପୁରକୁ ବିମାନ ଚଳାଇବା ଲାଗି ପ୍ରତିଶ୍ରୁତି ଦେଇ ଫେଲ ହେବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କର ଫୋକସ ପଏଣ୍ଟର ଏୟାରପୋର୍ଟ ଝାରସଗୁଡାରେ ମଧ୍ୟ ସଠିକ ସମୟରେ ଉଡିପାରିନାହିଁ ବିମାନ ।
ଯାହାକୁ ନେଇ ଏବେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଭାଙ୍ଗି ଯାଇଛି ପଶ୍ଚିମଓଡିଶା ବାସୀଙ୍କ ସ୍ୱପ୍ନ । ବିଗତ ଦିନର ଘଟଣାକୁ ଯଦି ବିଚାରକୁ ନିଆଯାଏ ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ବହୁ ବିବାଦ ଘେରରେ ରହିଛି ଏୟାର ଓଡିଶା । କାହାଠୁ ଟଙ୍କା ଠକି ନେଇଛି ତ’ ଆଉ କାହାକୁ ପାର୍ଟନର ଲୋଭ ଦେଖାଇ ହରଦମ ଭୁତିଆ ବନାଇଛି ଏୟାର ଓଡିଶା ସଂସ୍ଥା । ଏ କଥା ଆମେ ନୁହେଁ ବରଂ ପୁଲିସରେ ହୋଇଥିବା ଅଭିଯୋଗ ପତ୍ର କହୁଛି । କେବଳ ଏତିକି ନୁହେଁ ପୁଲିସ ରେକର୍ଡ କହୁଛି ଏଭଳି ଠକାମୀ ଘଟଣାରେ ସଂସ୍ଥାର ମୁଖ୍ୟଙ୍କ ହାତରେ ପୂର୍ବରୁ ହାତକଡ଼ି ପଡି ସାରିଛି ।
ହେଲେ ଏୟାର ଓଡିଶା କରିଥିବା ଠକାମୀର ଚେର କେତେବାଟ ଲମ୍ବିଛି ତାହା ଏଯାବତ ଜଣାନାହିଁ । ଆମେ ଏଥିପାଇଁ ଏକଥା କହୁଛୁ କାରଣ ଏୟାର ଓଡିଶା ନାଁରେ ଅଭିଯୋଗର ଫର୍ଦ୍ଦ କମିବାର ନାଁ ଧରୁନଥିବା ବେଳେ ଏବେ ମାମଲା ତ’ କୋଲକୋତା କୋର୍ଟରେ ପହଞ୍ଚିଛି । ସେପଟେ ଅଭିଯୋଗ ଉଠିବା ପରେ ସଂସ୍ଥା ପ୍ରତିଟି ଅଭିଯୋଗ ମିଛ ବୋଲି ସଫେଇ ଦେଉଛି । ଏବେ ପ୍ରଶ୍ନ ଏୟାର ଓଡିଶା ସଂସ୍ଥା ଯଦି ଏତେ ସଚ୍ଚୋଟ ତେବେ କାହିଁକି ବଢ଼ୁଛି ଗୋଟିଏ ପରେ ଗୋଟିଏ ଅଭିଯୋଗ? ସମସ୍ତେ କଣ ସଂସ୍ଥା ନାମରେ ମିଛ କହୁଛନ୍ତି? ତେବେ ଖୁବ ଶୀଘ୍ର ଏକ ଚାଞ୍ଚଲ୍ୟକର ପ୍ରମାଣ ସହ ଆମେ ଖୋଲିବୁ ଏୟାର ଓଡିଶାର ଗୁମର ।