ମାଲକାନାଗିରି (ଏଟିଆର ବ୍ୟୁରୋ ) ; ଗାଁକୁ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଫଳରେ ଭାରରେ ବୁହାହେଲେ ପ୍ରସୂତି । ମଣିଷ ପଣିଆ ଦେଖାଇଲେ ଆଶା ଦିଦି ଓ ଆମ୍ବୁଲାନ୍ସର ଡ୍ରାଇଭର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଲଛିମିପୁର ଗ୍ରାମରେ ।
ସୂଚନା ଅନୁସାରେ , ଲଛିମିପୁର ଗ୍ରାମର ତୁଲା ଖରା ଙ୍କର ପ୍ରସବ କଷ୍ଟ ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ତେବେ ଫୋନ ପାଇ ଆମ୍ବୁଲାନ୍ସ ଗ୍ରାମ କୁ ଆସିଥିଲେ ହେଁ ଲଛିମିପୁର ଗ୍ରାମକୁ ରାସ୍ଥା ନଥିବା କାରଣରୁ ପାଖ ଗ୍ରାମରେ ଆମ୍ବୁଲାନ୍ସଟି ଅଟକିଯାଇଥିଲା । ଏହାପରେ ଖୋଦ ଆମ୍ବୁଲାନ୍ସର ଡ୍ରାଇଭର ପାଦରେ ଚାଲି ଚାଲି ପ୍ରସବଙ୍କ ଘରକୁ ଆସିଥିଲେ । ସେପଟେ ପ୍ରସବଙ୍କ ଘରଲୋକ କେହି ଉପସ୍ଥିତ ନଥିବାରୁ ତାଙ୍କୁ ଗ୍ରାମର ଆଶା ଦିଦି ଓ ଖୋଦ ଆମ୍ବୁଲାନ୍ସର ଡ୍ରାଇଭର ଏକ ଭାର ଯୋଗେ ପାଖାପାଖି ୫ କିଲୋମିଟରର ମାଟି ରାସ୍ତାରେ ପାଖଗ୍ରାମକୁ ନେଇ ଯାଇଥିଲେ । ସେଠାରେ ପୂର୍ବରୁ ରଖାଯାଇଥିବା ଅମ୍ବୁଲାନ୍ସରେ ତାଙ୍କୁ ଡାକ୍ତର ଖାନାକୁ ନେଇ ଯାଇଥିଲେ ଉଭୟେ ।
ତେବେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଲୋକେ ବେଶ ପ୍ରଶଂସା କରିଛନ୍ତି । ବିଗତ କିଛି ଦିନ ହେବ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବା ବେଳେ ଆଜି ଏଭଳି ଜଣେ କର୍ମଚାରୀଙ୍କ କାର୍ଯ୍ୟ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନାମ ପ୍ରଦୀପ ମଣ୍ଡଳ ବୋଲି ଜଣାପଡିଛି । ତାଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।