ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶେଷରେ ଓଡିଶାକୁ ସାହା ହେବ ବାୟୁସେନା ଓ ନୌସେନାର ସହାୟତା । କେନ୍ଦ୍ରର ସହାୟତା ଲୋଡିଲେ ରାଜ୍ୟ ସରକାର । ବାତ୍ୟା ପରିସ୍ଥିତିରେ ଆକସ୍ମିତ ସହାୟତା ପାଇଁ ଭାରତୀୟ ସେନାକୁ ଅବଗତ କରାଇଲେ ରାଜ୍ୟ ସରକାର । ଆବଶ୍ୟକ ପଡିଲେ ଭାରତୀୟ ବାୟୁସେନା ଓ ନୌସେନାର ହେଲିକପ୍ଟରର ବି ସହାୟତା ଲୋଡିପାରେ ଓଡିଶା । ଏଥିପାଇଁ ଭାରତୀୟ ବାୟୁସେନାକୁ ଆଗୁଆ ସତର୍କ କରାଇଦେଲା ରାଜ୍ୟ ସରକାର ।
ଚିନ୍ତା ବଢାଉଛି ତିତଲି । ଭେରି ସିଭିୟର ସାଇକ୍ଲୋନର ରୂପନେବା କୁ ଆଉ ବାକି ରହିଲା ମାତ୍ର ୪-୫ ଘଣ୍ଟା । ଯାହାର ପ୍ରଭାବରେ ଉପକୂଳ ଓଡିଶା ସମେତ ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହଛି । ବହୁ ଧନ ଜୀବନ କ୍ଷୟକ୍ଷତି ହେବାର ମଧ୍ୟ ଆଶଙ୍କା ରହିଛି । ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ମଧ୍ୟ ଅନୁମାନ କରାଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭାରତୀୟ ବାୟୁସେନା ଓ ନୌସେନାକୁ ଅବଗତ କରାଇଛି ।
ଯେ କୌଣସି ସମୟରେ ସେମାନଙ୍କର ସହାୟତା ଲୋଡା ଯାଇପାରେ ବୋଲି ଜଣାପଡିଛି । ବାତ୍ୟା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନଜରରେ ରଖି ବାୟୁସେନା ଓ ନୌସେନାକୁ ଡାକରା ଦିଆଯିବା ନେଇ ସୂଚନା ମିଳିଛି । ଏପଟେ ପରିସ୍ଥିତିର ମୁକାବିଲା ଲାଗି ତୟାର ରହିଛନ୍ତି ଏନଡିଆରଏଫ ଓ ଓଡ୍ରାଫ ଟିମ । ଓଡିଶାର ଅନେକ ଜିଲ୍ଲା ମାନଙ୍କରେ ରେଡ ଆଲର୍ଟ ଘୋଷଣା କରାଯାଇଥିଲେ ହେଁ ସେହି ସବୁ ଜିଲ୍ଲା ମାନଙ୍କରେ ଓଡ୍ରାଫ ଟିମ ପହଞ୍ଚିସାରିଛି ।
ବାତ୍ୟା ପାଇଁ ଉପକୂଳ ଅଞ୍ଚଳର ଲୋକମାନଙ୍କ ସୁରକ୍ଷା ତଥା ଥଇଥାନ ଲାଗି ଏନଡିଆରଏଫ ଓ ଓଡ୍ରାଫ ଟି ପ୍ରସ୍ତୁତ ରହିଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବା ଯୋଗୁ ସେଠାରେ ମଧ୍ୟ ଓଡ୍ରାଫ ଟିମ ପହଞ୍ଚିସାରିଛି । ବାତ୍ୟାର ମୁକାବିଲା ଲାଗି ପ୍ରତେକ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।