ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଧିରେ ଧିରେ ଭୟଙ୍କର ପରିସ୍ଥିତିକୁ ଗତି କରୁଛି ତିତଲି । ବାତ୍ୟାକୁ ନେଇ ଛୋଟଠୁ ବଡ ସମସ୍ତଙ୍କ ମନରେ ଲାଗିରହିଛି ଭୟ । ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ସାଙ୍ଗକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଚିନ୍ତାରେ ଲୋକେ । ଦ୍ୱନ୍ଦରେ ପୂଜା ପାର୍ବଣଠୁ ନେଇ କଲେଜ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟକ୍ରମ । ତେବେ କଲେଜ ନିର୍ବାଚନକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲାଗିରହିଥିବା ଆଗ୍ରହକୁ ଭୟଭୀତ କରାଉଛି ବାତ୍ୟା ।
ଆସନ୍ତା ୨୦ ଘଣ୍ଟା ମଧ୍ୟରେ ବାତ୍ୟା ଅତି ଭୟଙ୍କର ରୂପ ନେଉଥିବା ବେଳେ କଲେଜ ନିର୍ବାଚନ କୁ ବାତିଲ କରାଯିବା ନେଇ ଆଶଙ୍କା କରାଯାଉଛି । ଆସନ୍ତା ୧୧ ତାରିଖରେ ତିତଲି ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ କଲେଜ ନିର୍ବାଚନ ମଧ୍ୟ ସେହିଦିନ ରହିଛି । ଚୁଡାନ୍ତ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତୁତି ହୋଇସାରିଥିବା ବେଳେ ବାତ୍ୟା କାରଣରୁ ନିର୍ବାଚନରେ ବାଧା ସୃଷ୍ଟି ହେବ ବୋଲି ଅନୁମାନ କରାଯାଉଛି । ବିଶେଷକରି ବାତ୍ୟାରେ ପ୍ରଭାବିତ ହେଉଥିବା ଜିଲ୍ଲା ମାନଙ୍କରେ ନିର୍ବାଚନ ବାତିଲ ହୋଇପାରେ ବୋଲି ଜଣାପଡିଛି । ଏପରି ସୂଚନା ଦେଇଛନ୍ତି ଏସଆରସି ବିର୍ଷ୍ଣୁପଦ ସେଠୀ ।
ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ , ଜଗତସିଂହପୁର , ଗଞ୍ଜାମ , ଗଜପତି ଜିଲ୍ଲା ମାନଙ୍କର ସବୁ ଶିକ୍ଷାନୁଷ୍ଠାନରେ ଆସନ୍ତା ୧୦ ଏବଂ ୧୧ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଥିବାରୁ ସେହି ଜିଲ୍ଲା ମାନଙ୍କରେ ଏକ ପ୍ରକାର କଲେଜ ନିର୍ବାଚନ ବାତିଲ ହୋଇଯିବ ବୋଲି ଧରିନିଆଯାଇଛି । ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଯାଏଁ କୌଣସି ସୂଚନା ଦିଆଯାଇନଥିବା ଜଣାପଡିଛି ।