ଔରଙ୍ଗାବାଦ (ଏଟିଆର ବ୍ୟୁରୋ ) ; ହ୍ୱାଟସଆପରେ ଗୋଟିଏ ମେସେଜ ସାଜିଲା କାଳ । ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ନିଜ ବିରୋଧୀକୁ ଚ୍ୟାଲେଞ୍ଜ ଦେଇ ହତ୍ୟାର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଔରଙ୍ଗାବାଦର ହର୍ଷଲୁ ଅଞ୍ଚଳର ଫତିମାନଗରରେ ଘଟିଛି । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଖବର ଅନୁସାରେ , ରବିବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ଔରଙ୍ଗାବାଦର ହର୍ଷଲୁ ଅଞ୍ଚଳର ଫତିମାନଗରରେ ମୋଇନ ମେହେମ୍ମଦ ପଠାନ ନାମକ ଜଣେ ୩୫ ବର୍ଷୀୟ ଯୁବକ ବାସ କରନ୍ତି । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ତାଙ୍କୁ ୨୦ ଜଣ ଦୁର୍ବୁତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଦୁର୍ବୁତ୍ତମାନେ ମୋଇନଙ୍କୁ ଖଣ୍ଡା , ଛୁରୀ ଓ ରଡରେ ଆକ୍ରମଣ କରି ହତ୍ୟା କରିଛନ୍ତି ।
ଗତ ରବିବାର ସନ୍ଧ୍ୟାରେ ମୋଇନ ନିଜ ହ୍ୱାଟସଆପରେ ଏକ ମେସେଜ ପୋଷ୍ଟ କରି ନିଜ ବିରୋଧୀମାନଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ଠିକ ଏହାର କିଛି ଘଣ୍ଟା ମଧ୍ୟରେ ମୋଇନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରସସ୍ତ୍ର ଧରି ପାଖାପାଖି ୨୦ ଜଣ ଯୁବକ ସ୍ଥାନୀୟ ଫତିମା ନଗରରେ ପହଞ୍ଚିଯାଇଥିଲେ । ଏହି ସମୟରେ ମୋଇନ ନିଜ ପୁତୁରାଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଯୁବକ ମାନେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଭାବେ ଆଘାତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ତାରେ ମୋଇନ ତଳେ ପଡିଯାଇଥିଲେ । ଏହାପରେ ଘଟଣା ସ୍ଥଳରେ ହି ମୋଇନଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ ମୋଇନଙ୍କ ପୁତୁରା ଇରଫାନ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନରେ ଭର୍ତ୍ତୀ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏଯାଏଁ ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଅତିଶିଘ୍ର ଅନ୍ୟ ଅଭିଯୁକ୍ତ ମାନେ ପୋଲିସ ହାତରେ ଧରାପଡିବେ ବୋଲି ପୋଲିସ କହିଛି ।