ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନବରାତ୍ରିର ସପ୍ତମ ଦିନରେ କାଳରାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଦୂର୍ଗା । ପାରମ୍ପରିକ ରୀତିନୀତି ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କ ଷଷ୍ଠୀ ପୂଜା କରାଯାଇଥିଲା । ଏନେଇ ପ୍ରତ୍ୟେକ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଗ୍ରାମ ଆୟୋଜନ କରାଯିବ ସହ ସୁସଜ୍ଜିତ ବେଶରେ ମା’ ଶୋଭା ପାଉଛନ୍ତି । ଢୋଲ ମୃଦଙ୍ଗର ବାଦ୍ୟରେ ସାରା ରାଜ୍ୟର ଦେବୀ ପୀଠ ସହ ସମସ୍ତ ପୂଜା ମଣ୍ଡପ ଉଠୁଛି ପଡୁଛି ।
ଦେବୀଙ୍କ ସପ୍ତମ ରୂପ ହେଉଛି କାଳରାତ୍ରି ରୂପ । କାମ, କ୍ରୋଧ,ଶତୃଙ୍କୁ ବିନାଶ କରିଥିବାରୁ ମା’ଙ୍କୁ କାଳରାତ୍ରୀ ବୋଲି କୁହାଯାଏ । ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ସମସ୍ତ କଳା ରଙ୍ଗର ବସ୍ତ୍ର ଓ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ କେଶ ମୁକୁଳା କରି ହସ୍ତରେ ଖଡ୍ଗ ଧରି ଗଧ ଉପରେ ବସି ବିରାଜମାନ କରିଥାନ୍ତି । ଏହାସହିତ ମା’ଙ୍କର ତିନୋଟି ନେତ୍ର ରହିଛି । ମା’ଙ୍କର ଏହି ରୂପ ଖୁବ୍ ଭୟଙ୍କର ଦିଶୁଥିଲେ ହେଁ ଭାରି ଶାନ୍ତ ଥାଆନ୍ତି । ବିଶେଷ କରି ତାନ୍ତ୍ରିକ ଶକ୍ତି ପାଇଁ ମା’ଙ୍କ ପୂଜା କରାଯାଏ ।
ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିବା ସହ ଶତୃ ବିନାଶ ହୋଇଥାଏ । ଏହାସହିତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।