ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବାତ୍ୟା ତିତଲି ଓ ବନ୍ୟାର ମୁକାବିଲା କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାସକ ବିଜେଡି ଦଳ ଉପରେ ଆକ୍ରମଣ କରିଛନ୍ତି । ଗତକାଲି ଗଞ୍ଜାମ ଗଜପତି ଜିଲ୍ଲା ଗ୍ରସ୍ତ ପରେ ସେ ଏକ ଭିଡିଓ ଜାରି କରି ଫେସବୁକରେ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ ସରକାରଙ୍କ ବାତ୍ୟା ଓ ବନ୍ୟାର ମୁକାବିଲା ବିଫଳତା ଉପରେ ନିଜର ମତ ରଖିଛନ୍ତି । ବତ୍ୟା ଆସିବା ନେଇ ଗଜପତି ଓ ଗଞ୍ଜାମ ଲୋକମାନଙ୍କ ପାଖରେ ଖବର ଥିଲେ ମଧ୍ୟ ସେମାନଙ୍କୁ ସଚେତନ ଓ ସେମାନଙ୍କ ପାଇଁ ରିଲିଫର ବ୍ୟବସ୍ତା କରାଯାଇନଥିବା ଧର୍ମେନ୍ଦ୍ର କହିଛନ୍ତି ।
ଜିରୋ କାଜୁଆଲିଟିର କଥା କହି ରାଜ୍ୟ ସରକାର ବାହାଦୁରି ମାରୁଥିବା ବେଳେ ବନ୍ୟାର ୮ ଦିନ ପରେ ମଧ୍ୟ ଲୋକମାନଙ୍କର ଶବ ମିଳୁଛି । ମନ୍ତ୍ରୀ ମାନେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେଇଛୁ କହି ବାହା ବାହା ନେଉଥିବା ବେଳେ ସରକାର ସାହୁକାର ଭଳି ବ୍ୟବହାର କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ନିଜ ଫେସବୁକ ଭିଡିଓରେ କହିଛନ୍ତି । ଖାଲି ସେତିକି ନୁହେଁ ଟଙ୍କା ଦେଇ ସମ୍ଭାଳି ନେଲୁ ବୋଲି କହୁଥିବା ସରକାର ମୁହଁ ଫୁଟାଣି ଛାଡି ମିଳିମିଶି କାମ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ ଏହି ଭିଡିଓରେ ଅନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କଥାକୁ ମଧ୍ୟ କହିଛନ୍ତି । ଶ୍ରୀ ନାଇଡୁ ଶ୍ରୀକାକୁଲମ ଜିଲ୍ଲାରେ କ୍ୟାମ୍ପ କରି ଲୋକମାନଙ୍କ ପାଇଁ ରିଲିଫରେ ଯୋଗାଉଥିବା ବେଳେ ଗଞ୍ଜାମ ଓ ଗଜପତିରେ ଓଡିଶା ସରକାରଙ୍କ କୌଣସି ମନ୍ତ୍ରୀ , ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ଙ୍କୁ ସେ ଦେଖିବାକୁ ପାଇଲେ ନାହିଁ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର ଫେସବୁକରେ ନିଜ ଭିଡିଓ ଜାରି କରିଛନ୍ତି ।