ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏମ୍.ନାଗେଶ୍ୱର ରାଓ, ଏବେ କେନ୍ଦ୍ରୀୟ ତନ୍ଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଦାୟିତ୍ୱରେ । ଯିଏକି ୧୯୮୬ ବ୍ୟାଚର ଓଡିଶା କ୍ୟାଡରର ଜଣେ ଆଇପିଏସ୍ ଅଫିସର । ଦେଶର ବଡ ତଦନ୍ତକାରୀ ସଂସ୍ଥା ହେଉଛି ସିବିଆଇ କିନ୍ତୁ ସେ ଏବେ ନିଜେ ଦ୍ୱନ୍ଦରେ । ଯେଉଁଥି ପାଇଁ ଆଜି ନାଗେଶ୍ୱର ରାଓଙ୍କୁ ଏତେ ବଡ ଦାୟିତ୍ୱ ମିଳିଛି । ସିବିଆଇର ଦୁଇ ଜଣ ମୁଖ୍ୟ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ତିବ୍ରତା ଲାଗି ରହିଥିଲା । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏକ ବଡ ପଦକ୍ଷେପ ନେଇ ଦୁଇ ଜଣଙ୍କୁ ଛୁଟିରେ ପଠେଇ ଦେଇଛନ୍ତି । ଏହି ସମୟରେ ଏମ୍.ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ବହନ କରିବା ପାଇଁ କୁହାଯାଇଛି ।
ଚଳିତ ବର୍ଷ ମଇ ମାସରେ ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବେ ପଦୋନ୍ନତି କରାଯାଇଥିଲା । ଏହା ପୂର୍ବରୁ ସେ ଚେନ୍ନାଇର ଦକ୍ଷିଣ ଜୋନରେ ସଂଯୁକ୍ତ ନିର୍ଦ୍ଦେଶକ ଥିଲେ । ଓଡିଶା,ପଶ୍ଚିମବଙ୍ଗ,ହରିୟାଣା, ହିମାଞ୍ଚଳପ୍ରଦେଶ ଏବଂ ଜମ୍ମୁ ଓ କଶ୍ମିରୀ ସମେତ ଅନେକ ରାଜ୍ୟରେ ତାଙ୍କୁ ବିଶେଷ ଦାୟିତ୍ୱ ମିଳିଥିଲା ।
ନାଗେଶ୍ୱର ରାଓ ଏଭଳି ଜଣେ ଅଫିସର ଯିଏ ଅନେକ ଦୁର୍ନିତର ପର୍ଦାଫାସ କରିଛନ୍ତି । ସେ କୁଶଳ ପ୍ରଶାସକ ଭାବେ ବେଶ୍ ଜଣାଶୁଣା ।
ସେ ଓଡିଶାର ଏଭଳି ଜଣେ ପୋଲିସ ଅଧିକାରୀ ଥିଲେ , ଯିଏ କି ୧୯୯୬ରେ ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବଳକ୍ରାର ମାମଲାରେ ଲିପ୍ତ ଥିବା ଅପରାଧୀକୁ ଧରିବା ପାଇଁ ଡିଏନଏ ଫିଙ୍ଗରପ୍ରିଣ୍ଟସ୍ ବ୍ୟବହାର କରିଥିଲେ । ଯାହାଫଳରେ ସଫଳତା ମଧ୍ୟ ହାସଲ କରିଥିଲେ ।
ଅଗ୍ନିଶମ ବିଭାଗରେ ଶ୍ରୀରାଓଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ନେତୃତ୍ୱରେ ଦେଶରେ ଅଗ୍ନିଶମ ବିଭାଗ ର ଖୁବ୍ ଭଲ ସଂଗଠନ ଗଢିଉଠିଥିଲା । ୨୦୧୩ ରେ ଓଡିଶାରେ ହୋଇଥିବା ଫାଇଲିନ୍ ବେଳେ ଶ୍ରୀ ରାଓ ଉକ୍ରୃଷ୍ଠ କାର୍ଯ୍ୟ କରିଥିଲେ । ଏହାବ୍ୟତୀତ ୨୦୧୪ରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ହୋଇଥିବା ହୁଡୁହୁଡୁରେ ଲୋକଙ୍କୁ ଉଦ୍ଧାର କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେଉଁଥିବ ପାଇଁ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନଗଦ ପାଞ୍ଚ ଲକ୍ଷ ଟଙ୍କା ସହ ସମ୍ମାନିତ କରାଯାଇଥିଲା ।
ଓଡିଶା ଏବଂ ପଶ୍ଚିମବଙ୍ଗର ଚିଟ୍ ଫଣ୍ଡ ଘୋଟାଲା ର ମଧ୍ୟ ସେ ତଦନ୍ତ କରିଥିଲେ । ତାଙ୍କର ଭଲ କାର୍ଯ୍ୟ ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ, ବିଶେଷ କର୍ତ୍ତବ୍ୟ ପଦକ ଏବଂ ଓଡିଶା ଗଭର୍ଣ୍ଣର ପଦକ ମଧ୍ୟ ମିଳି ସାରିଛି ।
ଆନ୍ଧ୍ରପ୍ରଦେଶ ବାରଙ୍ଗଲ ଜିଲ୍ଲାର ମାଙ୍ଗାପେଟ ଗ୍ରାମରେ ନାଗେଶ୍ୱରଙ୍କ ଜନ୍ମ । ସେ ଭୁବନେଶ୍ୱର ବିଡିଏ ଦାୟିତ୍ୱରେ ଥିଲେ । ଏହାସହିତ ୨୦୦୮ ରେ ହୋଇଥିବା କନ୍ଧମାଳ ଦଙ୍ଗା ସମୟରେ ସେ ଆଇଜି ସିଆରପିଏଫି ଭାବେ କାର୍ଯ୍ୟ ତୁଲାଇଥିଲେ ।
ଶ୍ରୀ ରାଓ ଓଡିଶାର ଜଗତସିଂହପୁର, ବରଗଡ,ନବରଙ୍ଗପୁର,ମୟୁରଭଞ୍ଜ ଜିଲ୍ଲାରେ ଏସପି ହେବା ପରେ ସେ ରାଉଲକେଲାର ରେଳ ବିଭାଗ ଏବଂ କଟକର ଅପରାଧ ଶାଖାରେ ମଧ୍ୟ ଏସପି ଥିଲେ ।
ତେବେ ଏବେ ସିବିଆଇରେ ଶ୍ରୀ ରାଓଙ୍କ ଦବଦବା ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସିବିଆଇ ଭଳି ଏକ ବୃହତ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇ ନିଜକୁ କେତେ ପ୍ରମାଣିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।