ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୱାଚୌଥ ଏଭଳି ଏକ ଉତ୍ସବ ଯାହା ପତି-ପତ୍ନୀଙ୍କ ସମ୍ବନ୍ଧକୁ ମଜବୁତ୍ କରେ । ଏହି ଉତ୍ସବ ହେଉଛି ପ୍ରେମ ଓ ବିଶ୍ୱାସର ପ୍ରତିକ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଥିରେ କରୱାଚୌଥ ବ୍ରତ ପାଳନ କରାଯାଏ । ଆଜି ସାରା ଦେଶରେ ବିବାହିତ ମହିଳାମାନେ ଆନନ୍ଦ ଉଲ୍ଲାସର ସହ ଏହି ବ୍ରତ ପାଳନ କରୁଛନ୍ତି ।
ଏହି ବ୍ରତ ସୂର୍ଯ୍ୟ ଉଦୟ ପୂର୍ବରୁ ଆରମ୍ଭ ହୋଇ ଚନ୍ଦ୍ରମା ଦର୍ଶନ ପରେ ହିଁ ସମ୍ପୂର୍ଣ୍ଣ ହୋଇଥାଏ । ପତ୍ନୀ , ତାଙ୍କ ପତିଙ୍କ ସୁସ୍ଥ ଶରୀର, ଦୀର୍ଘାୟୁ ଏବଂ ସୌଭାଗ୍ୟ କାମନା କରି ବ୍ରତ ରଖିଥାନ୍ତି ।
ଏହି ଅବସରରେ ଭଗବାନ ଗଣେଶଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ । କରୱାଚୌଥରେ ବି ଗଣେଶ ଚତୁର୍ଥି ଭଳି ସାରା ଦିନ ଉପବାସ ରଖି ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ପରେ ଭୋଜନ କରିବାର ବିଧାନ ରହିଛି ।
କେବଳ ସୌଭାଗ୍ୟବତୀ ମହିଳାମାନଙ୍କୁ ଏହି ବ୍ରତ ରଖିବାର ଅଧିକାର ଅଛି । ଏହି ବ୍ରତ ରଖିବା ଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବଳବତ୍ତର ରହିଥାଏ । ମହାଭାରତରେ ଶ୍ରୀକୃଷ୍ଣ ବି କରୱାଚୌଥର ମହାତ୍ମ୍ୟ ବିଷୟରେ କହିଛନ୍ତି । ଏହି କଥା ମୁତାବକ ,କୃଷ୍ଣଙ୍କ ଠାରୁ ଦ୍ରୌପଦୀ କରୱାଚୌଥର ବିଧି ବୁଝି ଏହି ବ୍ରତ ରଖିଲେ । ଏହାର ଫଳସ୍ୱରୂପ ପଞ୍ଚୁପାଣ୍ଡବ ମହାଭାରତରେ କୌରବ ସେନାକୁ ପରାଜୟ କରି ବିଜୟ ହାସଲ କରିଥିଲେ ।
ଏହି ବ୍ରତରେ ଚାଲୁଣିର ବିଶେଷ ମହତ୍ୱ ରହିଛି । ପୂଜା ଥାଳିରେ ମହିଳାମାନେ ସମସ୍ତ ଜିନିଷ ସହ ଚାଲୁଣିକୁ ବି ରଖିଥାନ୍ତି । ପ୍ରକୃତରେ କରୱାଚୌଥ ରାତିରେ ମହିଳାମାନେ ଚାଲୁଣିରେ ପତିଙ୍କ ମୁହଁକୁ ଦେଖି ଏହି ବ୍ରତ ପୂରଣ କରିଥାନ୍ତି ।ବିବାହିତ ମହିଳାମାନେ ଚାଲୁଣିରେ ଦୀପ ରଖି ପ୍ରଥମେ ଚନ୍ଦ୍ରକୁ ଦେଖିବା ପରେ ପୁଣି ପତିଙ୍କ ମୁହଁକୁ ଏଥିରେ ଦେଖିଥାନ୍ତି । ତାପରେ ପତିଙ୍କ ହାତରୁ ଜଳ ଗ୍ରହଣ କରି ବ୍ରତ ଭାଙ୍ଗିଥାନ୍ତି । ଏହି ବ୍ରତର ଏକ ଖାସ୍ କାରଣ ରହିଛି । ଚନ୍ଦ୍ରମାଙ୍କୁ ବ୍ରହ୍ମାଙ୍କ ସ୍ୱରୂପ କୁହାଯାଏ । ତାଙ୍କଠାରୁ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ ।