ନୂଆପଡା (ଏଟିଆର ବ୍ୟୁରୋ) ; ପ୍ରେମ ଅଢ଼େଇ ଅକ୍ଷର । ଏହି ସ୍ୱଳ୍ପ ଅକ୍ଷର ମଧ୍ୟରେ ଲୁଚି ରହିଛି ବହୁତ କିଛି ରହସ୍ୟ । ଯିଏ ପ୍ରେମ କରିଛି ସେ ଜାଣିଛି ପ୍ରେମର ସ୍ୱାଦ କେତେ ମିଠା । ଏହି ପ୍ରେମ କାହା ଜୀବନରେ ଖୁସି ଆଣିଦିଏ ତ ଆଉ କାହା ପାଇଁ ଆଣିଦିଏ ଦୁଃଖର ସମୁଦ୍ର । ଭଲ ପାଉଥିବା ପ୍ରେମୀ ଯୁଗଳ ମାନେ କେବେ ବି ଦୁହେଁ ଦୁହିଁଙ୍କୁ ଛାଡି ରହିପାରନ୍ତି ନାହିଁ । ଏଭଳି କେତେକ ପ୍ରେମୀ ଯୁଗଳ ଅଛନ୍ତି ଯେଉଁମାନେ କି ନିଜ ପ୍ରେମ ପାଇଁ ସାଥୀ ହୋଇ ମରିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଧରମାବନ୍ଦା ଥାନା ଅନ୍ତର୍ଗତ ପାୱାରତାଲା ଗାଁରେ ।
ସୂଚନା ମୁତାବକ ଆଜି ସକାଳେ ପାୱାରତାଲା ଗାଁର ଏକ ମହୁଲ ଗଛରୁ ଉ଼ଦ୍ଦାର ହୋଇଛି ପ୍ରେମୀ ଯୁଗଳଙ୍କ ମୃତ ଦେହ । ମୃତ ପ୍ରେମୀ ଯୁଗଳ ଦୁହେଁ ହେଲେ ସେହି ଗାଁର ଶୀବ ମାଝୀ ଏବଂ ରଞ୍ଜିତା ମାଝୀ । ମୃତ ଦେହ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋଳହଳ ସୃଷ୍ଟି ହୋଇଯାଇଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ତେବେ ଏମାନଙ୍କ ମୃତ୍ୟୁ କିପରି ହୋଇଛି ଏହା ସ୍ପଷ୍ଟ ହୋଇନାହିଁ । ତେବେ ସ୍ଥାନୀୟ ଲୋକ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି । କିନ୍ତୁ କେଉଁ କାରଣରୁ ଏମାନେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଅନ୍ୟ କିଛି ଲୋକ ଏହାକୁ ହତ୍ୟାର ରୂପ ଦେଇଛନ୍ତି । କେହି ଏମାନଙ୍କୁ ହତ୍ୟା କରି ଗଛରେ ଝୁଲେଇ ଦେଇଛନ୍ତି ସନ୍ଦେହ କରୁଛନ୍ତି ।