ତ୍ରିପୁରା (ଏଟିଆର ବ୍ୟୁରୋ ) ; ଗାଇ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୫୦୦୦ ପରିବାରକୁ ଉପହାର ସ୍ୱରୁପ ଗାଇ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । କୁପୋଷଣ ସହ ଲଢିବା ଓ ରୋଜଗାର ସୃଷ୍ଟି କରିବା ନିମନ୍ତେ ଏଭଳି ଉପାୟ ପାଞ୍ଚିଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ତ୍ରିପୁରାର ପାଖାପାଖି ୫୦୦୦ ପରିବାରକୁ ୧୦୦୦୦ ଗାଇ ଉପହାର ସ୍ୱରୁପ ପ୍ରଦାନ କରିବା ପାଇଁ ମନସ୍ତ କରିଛନ୍ତି ବିପ୍ଳବ ।
ଏଭଳି ଯୋଜନାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ମୁଖ୍ୟ ମନ୍ତ୍ରୀଙ୍କ ମତରେ ଘରେ ଗାଇ ପାଳନ କରିବା ଦ୍ୱାରା କୁପୋଷଣକୁ ସିଧାସଳଖ ରୋକାଯିବା ସହ କିଛି ରୋଜଗାର ମଧ୍ୟ ହୋଇପାରିବ । ଘରେ ଗାଇ ପାଳନ କଲେ ୬ ମାସ ମଧ୍ୟରେ କ୍ଷୀର ଉତ୍ପାଦନ କରାଯାଇ ଏହାକୁ ବିକ୍ରି କରି ଦୁଇପଇସା ଲାଭ ମଧ୍ୟ ମିଳିବ । ଏହା କୁପୋଷଣ ଓ ଗରିବ ଲୋକଙ୍କୁ ସହାୟ ହେବ ବୋଲି ବିପ୍ଳବ ଦେବ କହିଛନ୍ତି ।
ସେ ଉଦ୍ୟୋଗର ବିରୋଧରେ ନାହାନ୍ତି କିନ୍ତୁ ୨୦୦୦ ଲୋକଙ୍କୁ ରୋଜଗାର ଦେବାକୁ ହେଲେ ୧୦ ହଜାର ଜୋଟି ଟଙ୍କା ନିବେଶ କରିବାକୁ ପଡିବ ବୋଲି ଖୋଦ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କହିଛନ୍ତି । ସେହିପରି ୫୦୦୦ ପରିବାରକୁ ୧୦୦୦୦ ଗାଇ ପ୍ରଦାନ କଲେ ଏହାର ୬ ମାସ ମଧ୍ୟରେ ଆୟ ଆରମ୍ଭ ହେବା ସହ ରାଜ୍ୟରେ କ୍ଷୀର ଉତ୍ପାଦନ ବଢିବା ସହ କୁପୋଷଣ ମଧ୍ୟ ଦୂରେଇଯିବ ବୋଲି ସେ କହିଛନ୍ତି ।
ସେପଟେ ତ୍ରିପୁରା ମୁଖ୍ୟମନ୍ତ୍ରୀ ସବୁବେଳେ ନିଜର ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ପୂର୍ବଥର ଯୁବପିଢୀଙ୍କୁ ରୋଜଗାର ନିମନ୍ତେ କିଛି ନିଆରା ଉପାୟ ଦେଇ ସମାଲୋଚନାର ଶିକାର ହୋଇଥିଲେ ବିପ୍ଳବ । ସରକାରୀ ଚାକିରି ପାଇଁ ରାଜନେତାଙ୍କ ପାଖକୁ ଦୌଡିବା ଛାଡି ଗାଇ ପାଳନ ଓ କ୍ଷୀର ବେପାର କଥା ମଧ୍ୟ କହିଥିଲେ । ଏହାସହ ରାଜନୈତିକ ଲୋକଙ୍କ ପାଖକୁ ଯିବା ପରିବତ୍ତେ ଯୁବପୀଢି ନିଜ ଜୀବିକା ନିର୍ବାହ ପାଇଁ ପାନ ଦୋକାନଟିଏ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ଜଣେ ବ୍ୟକ୍ତି ପାନ ଦୋକାନ କଲେ ୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବ ବୋଲି ସେ କହିଥିଲେ । ତେବେ ବର୍ତ୍ତମାନ ତ୍ରିପୁରାର ପାଞ୍ଚ ହଜାର ପରିବାରକୁ ଗାଇ ଦେବା ଯୋଜନା ଦ୍ୱାରା ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।