ରାୟଗଡା (ଏଟିଆର ବ୍ୟୁରୋ) ; ସେଲଫି ହେଲା କାଳ । ଚାଲିଗଲା ଜଣଙ୍କ ଜୀବନ । ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ନେଉଥିଲେ ସେଲଫି । ଏହି ସମୟରେ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରୁ ଯେପରି ରାୟଗଡାକୁ ଡାକିଆଣିଥିଲା ମରଣ । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶରୁ ସାଙ୍ଗମାନେ ବୁଲିବା ପାଇଁ ଆସିଥିଲେ ରାୟଗଡା । ସ୍ଥାନୀୟ ନାଗାବଳୀ ନଦୀ ଝୁଲା ପୋଲ ତଳେ ସାଙ୍ଗ ମାନଙ୍କ ସହ ମିଶି ଗାଧୋଉଥିଲେ । ଗଭୀର ପାଣିରେ ଯାଇ ସେଲଫି ନେଉଥିବା ବେଳେ ଭାସିଯାଇଥିଲେ ଯୁବକ । ଏହା ପରେ ସାଙ୍ଗମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ପରେ ଦମକଳ ବାହିନୀର କର୍ମଚାରୀମାନେ ଆସି ଯୁବକଙ୍କୁ ଉଦ୍ଦ଼ାର କରିବା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତକ ଜଣଙ୍କ ହେଲେ କୋତାବାଲ ସାର ଏମ. ଗଙ୍ଗାରାଜୁ ।
ମୃତଦେହ ଉ଼ଦ୍ଦାର ହେବା ପରେ ଦମକଳ ବାହିନୀ ଶବକୁ ପୋଲିସ ହାତରେ ଜିମା ଦେଇଛି । ତେବେ ଏହି ଘଟଣାର ତଦନ୍ତ ଜାରି କରିଛି ପୋଲିସ । ପୂର୍ବରୁ ଏହି ସେଲଫି ପାଇଁ ଅନେକଙ୍କ ଜୀବନ ଯାଇଥିବା ବେଳେ ସଚେତନ ହେଉନାହାଁନ୍ତି ଲୋକ । ସାଧାରଣତଃ ଯୁବପିଢ଼ି ମାନେ ଏହି ସେଲଫି ପାଇଁ ନିଜର ଜୀବନକୁ ବାଜିରେ ଲଗେଇ ଦେଇଥାନ୍ତି । ଅନେକ ଯୁବକ ଯୁବତୀ ସୋସିଆଲ ସାଇଟରେ ନିଜର ସେଲଫି ଛାଡି ବାହାଦୁରି ମାରିବା ପାଇଁ ରିସ୍କକୁ ମଧ୍ୟ ଖାତିର କରିନଥାନ୍ତି । ପୂର୍ବରୁ ଟ୍ରେନ ଲାଇନ ଏବଂ ନୋ ଏଣ୍ଟି ସ୍ଥାନରେ ସେଲଫି ପାଇଁ ଜୀବନ ଯାଇଥିବାର ଉଦାହରଣ ସବୁ ରହିଛି । ତେବେ ଏ ନେଇ ଏବେ ପ୍ରଶ୍ନ ଉଠିଛି କେବେ ସଚେତନ ହେବେ ଯୁବପିଢ଼ି ? କାରଣ ଟିକେ ଟିକେ ଖୁସି ପାଇଁ ଚାଲିଯାଉଛି ବହୁ ନୀରିହ ଜୀବନ ।