ଚୌଦ୍ୱାର ( ଏଟିଆର ବ୍ୟୁରୋ): ଟଙ୍କିକିଆ ଚାଉଳ ଦେଇ ଭୋଟ ହାତେଇବା ଫନ୍ଦା ଏବେ ବିଜେପି ଆପଣେଇଛି । ପୂର୍ବରୁ ବାରମ୍ବାର ଟଙ୍କିକିଆ ଚାଉଳକୁ ନେଇ ବିଜେଡିକୁ ଘେରୁଥିବା ବିଜେପି ଏବେ ଆପଣେଇଛି ସମାନ ଫର୍ମୁଲା । ଭୋଟରଙ୍କୁ ଟଙ୍କିକିଆ ଚାଉଳ ଦେଇ ଭୋଟ ଆପଣେଇବ ବିଜେପି । ଚୌଦ୍ୱାରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟରଙ୍କୁ ଉଦ୍ବୋଧନ ଦେଇ ଏହି ଘୋଷଣା କରିଛନ୍ତି । ବିଜେପି ସରକାରକୁ ଆସିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ୫୦୦ ଗ୍ରାମ ଲୁଣ , ୫୦୦ ଗ୍ରାମ ଡାଲି ଓ ୫ କିଲୋ ଚାଉଳ ଯୋଗାଇ ଦିଆଯିବ । ଯେଉଁଥିରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀ ଏହି ସୁବିଧା ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଆହୁରି ମଧ୍ୟ କହିଛନ୍ତି ଚୌଦ୍ୱାର ଶିଳ୍ପାଞ୍ଚଳର ପୁନଃରୁଦ୍ଧାର କରାଯାଇ ଚୌଦ୍ୱାରକୁ ବିଶ୍ୱ ସ୍ତରରେ ପହଞ୍ଚାଯିବ । ୬୦ ବର୍ଷରୁ ଅଧିକ ବୃଦ୍ଧଙ୍କ ୩୦୦୦ ଟଙ୍କା ଲେଖାଏ ପେନସନ । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଓ ସ୍ଥାୟୀ ପଟ୍ଟା, ଆଗାମୀ ୨ ବର୍ଷରେ ଖାଲିଥିବା ସରକାରୀ ପଦବୀ ପୂରଣ, ବିନା ସୁଧରେ କୃଷି ଋଣ, ଅଙ୍ଗନବାଡି କର୍ମୀଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା, ସହାୟିକାଙ୍କୁ ୯ ଟଙ୍କା ପ୍ରଦାନ, କଟକ ଭୁବନେଶ୍ୱର ଓ ଚୌଦ୍ୱାରକୁ ମିଶାଇ ମେଟ୍ରୋ ରେଳ ଚଳଚଳ କରାଯିବ ବୋଲି ଘୋଷଣାରେ କହିଛନ୍ତି ।