କୋରାପୁଟ (ଏଟିଆର ବ୍ୟୁରୋ) ; ଫସଲରେ ପକେଇବା ପାଇଁ ଆଣିଥିବା କୀଟନାଶକ ଔଷଧକୁ ଖାଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ମାଳିଗୁଡା ଗାଁରେ । ମୃତ ଚାଷୀ ଜଣକ ହେଲେ ୫୭ ବର୍ଷୀୟ ଲୁକୁନାଥ ପାଙ୍ଗି । ଫସଲ ଉଜୁଡି ଯାଇଥିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ଜମି ନିକଟରେ ବିଷ ପିଇ ଘରକୁ ଫେରିଥିଲେ । ଆସିବା ପରେ ସ୍ତ୍ରୀ ପଦ୍ମିତାଙ୍କୁ ବିଷ ପିଇବା କଥା କହିବା ପରେ ଗୁରୁତର ଅବସ୍ଥାରେ ପଟାଙ୍ଗି ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଚାଷୀଙ୍କ ମୃତ୍ୟୁ ହୋଇଛି ।
ଫସଲ କରିବା ପାଇଁ ଆଣିଥିବା ଋଣଭାର ଅଧିକ ହୋଇଥିବା ବେଳେ ଫସଲ ନଷ୍ଟ ଚିନ୍ତାରେ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାର ତଦନ୍ତ ଜାରି କରିଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ଚାଷୀଙ୍କ ସମସ୍ୟା । ଚକଡା ପୋକ ସାଙ୍ଗକୁ ବର୍ଷାର ପରିମାଣ କମ ପାଇଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଏଣୁ ବାଧ୍ୟ ହୋଇ କିଏ ନିଜ ଫସଲରେ କିଏ ନିଆଁ ଲଗାଇଲାଣି ତ ଆଉ କିଏ ଜୀବନ ସହ ଖେଳ ଖେଳୁଥିବା ଦେଖିବାକୁ ମିଳିଛି । ସରକାର ୯ ଜିଲ୍ଲାକୁ ମରୁଡି ଘୋଷଣା କରିଥିବା ବେଳେ ଅନେକ ଅଞ୍ଚଳ ଏଥିରୁ ବାଦ ପଡିଛି ଯାହା ଫଳରେ ବାଧ୍ୟ ହୋଇ ଚାଷୀମାନେ ଏଭଳି କାର୍ଯ୍ୟ ସବୁ କରିବା ପାଇଁ ବାଧ୍ୟ ହେଉଛନ୍ତି ।