କଳାହାଣ୍ଡି (ଏଟିଆର ବ୍ୟୁରୋ ) ; ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଯୁବକଙ୍କ ଝୁଲନ୍ତା ମୃତଦେହ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଭିତରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାମ ଭୁଦେବ ବଗର୍ତ୍ତି ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ରେଷ୍ଟ ଶେଡରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତାଙ୍କ ମୃତଦେହ ନିକଟରେ ଏକ ପ୍ଲାଷ୍ଟିକ ଟୁଲ ପଡିଥିବାର ଦେଖାଯାଇଛି ।
ସେପଟେ ଭୁଦେବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଏକ ଛୋଟ ଠେଲା ହୋଟେଲ କରିଥିଲେ । ସେ ସେଇ ହୋଟେଲରୁ ଆୟ ହେଉଥିବା ଧନରାଶିରେ ନିଜ ପରିବାର ପ୍ରତିପୋଷଣ କରନ୍ତି । ପାରିବାରିକ କଳହରୁ ଭୁଦେବ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ଜାରି ରଖିଛି ।