ଛତିଶଗଡ (ଏଟିଆର ବ୍ୟୁରୋ) ; ନେତାଙ୍କୁ ଲାଗିଛି ଆସନ ଚିନ୍ତା । ଏମାନେ ଭୋଟ ପାଇଁ କୁଛଭି କରେଙ୍ଗେ ଭଳି ଉଦାହରଣ ମାନ ଦେଖିବାକୁ ମିଳିଛି । ମଣିଷ ସବୁବେଳେ ଅସୁବିଧା ସମୟରେ ଭଗବାନଙ୍କୁ ଡାକିଥାଏ । ତେବେ ଛତିଶଗଡରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ବିରାଡି ବୈଷ୍ନବ ସାଜିଲା ଭଳି କେତେବେଳେ ଠାକୁରଙ୍କୁ ଠିକ ନଡାକିଥିବା ନେତାମାନେ ଭଗବାନଙ୍କ ଉପରେ ସବୁକିଛି ଛାଡିଦେଲାଭଳି ଦୃଶ୍ୟ ନଜରକୁ ଆସିଛି । ବେମେତରା ଜିଲ୍ଲା ନବାଗଡ ବିଧାନସଭା କ୍ଷେତ୍ରରୁ ବିଜେପିର ପ୍ରାଥୀ ତଥା ରମଣ ସିଂହଙ୍କ ସରକାରରେ ମନ୍ତ୍ରୀ ଥିବା ଦିନଦୟାଲ ବଘେଲ ଭୋଟକେନ୍ଦ୍ରରେ ଧୂପକାଠି ଧରି ପଶିଥିଲେ । ମତଦାନ କେନ୍ଦ୍ର ଖୋଲା ହେବା କ୍ଷଣି ଧୂପକାଠି ବୁଲାଇ ପୁରା ବୁଥରେ ଚକ୍କର କାଟିବା ପରେ ନଡିଆ ହାତରେ ଧରି ଇଭିଏମ ମେସିନକୁ ପ୍ରଣାମ କରିବା ପରେ ବାହାରକୁ ଯାଇ ଏହି ନଡିଆକୁ ଭାଙ୍ଗିଥିଲେ । ଏହାକୁ ଦେଖିବା ପରେ ଭୋଟ ଦେବାକୁ ଆସିଥିବା ଭୋଟରମାନେ ତାଜୁବ ହୋଇ ଚାହିଁଥିଲେ ମଧ୍ୟ ମନ୍ତ୍ରୀଙ୍କୁ କେହି କିଛି କହିନଥିଲେ ।
କିଛିଦିନ ତଳେ ଅନ୍ୟଜଣେ ନେତା ଗୋଡ ଧରି ଭୋଟରଙ୍କୁ ଭୋଟ ଭିକ୍ଷା କରୁଥିବା ବେଳେ ଆଉ କିଏ ଭୋଟରଙ୍କ ସହ ମିଶି ବାସନ ମାଜୁ ଥିବାର ଦୃଶ୍ୟ ନଜରକୁ ଆସିଥିଲା । ତେବେ ନେତାଙ୍କ ଏଭଳି କାର୍ଯ୍ୟ ପାଇଁ ଭୋଟରମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କାରଣ ଭୋଟ ପୂର୍ବରୁ ଯେଉଁମାନେ ରାସ୍ତାରେ ଦେଖିଲେ ଚିହ୍ନି ପାରୁନଥିଲେ ସେମାନେ ଏପରି କାମ କରୁଥିବାରୁ ତାଜୁବ ହେଉଛନ୍ତି ଭୋଟର । ଯୋଉ ନେତାମାନେ ଆଜି ପାଦ ଧରୁଛନ୍ତି ସେମାନେ କାଲି ତଣ୍ଟି ଧରିବାକୁ ପଛାଇ ନଥିବା ଭଳି ଉଦାହରଣ ନଜିର ରହିଛି । ନିର୍ବାଚନ ସମୟ ଆସିଲେ ଏମାନେ ଏଣ୍ଡୁଅ ଭଳି ରଙ୍ଗ ବଦଳାଉଥିବା ସାଧାରଣ ଲୋକ ଚର୍ଚ୍ଚା କରୁଛନ୍ତି । ଏହି ରଙ୍ଗ କେତେ ଦିନ ରହିବ ? ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।