ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୧ ଅର୍ଥାତ ଆଜିଠୁ ଭାରତରେ ବଦଳିଛି ୮ଟି ନିୟମ । ଏହି ପରିବର୍ତ୍ତନ ର ପ୍ରଭାବ ଆପଣଙ୍କ ଜୀବନରେ ସିଧାସଳଖ ପଡିବ । ଏହି ନୂତନ ନିୟମ ଯୋଗୁଁ କିଛି କ୍ଷେତ୍ରରେ ଆପଣଙ୍କୁ ଆଶ୍ୱସ୍ତି ମିଳିବ, ସେହିପରି ଯଦି ଆପଣ କିଛି କଥାକୁ ଧ୍ୟାନ ନଦିଅନ୍ତି ତେବେ ଆପଣଙ୍କ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ଏଥିରେ କିଛି ବ୍ୟାଙ୍କର ମିନିମମ୍ ବାଲାନ୍ସ, ଅନଲାକ୍ ୩ ର ଗାଇଡଲାଇନ୍, ଆରବିଏଲ ବ୍ୟାଙ୍କରେ ସେଭିଙ୍ଗସ ଆକାଉଣ୍ଟ ଉପରେ ସୁଧ ଦର, ଇପିଏଫରେ ଯୋଗଦାନ, ସୁକନ୍ୟା ସମୃଦ୍ଧି ଯୋଜନା, କାର ଓ ବାଇକ କିଣିବା ଏବଂ ଇ-କମର୍ସ ସହ ଜଡିତ ନିୟମ ସାମିଲ ଅଛି । ତେବେ ଆସନ୍ତୁ ଜାଣିବା….
ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ୍) ଅଂଶଦାନରେ ତିନି ମାସ ପାଇଁ ହ୍ରାସ ଲାଗୁ କରିବାର ନିଷ୍ପତି ନିଆଯାଇଥିଲା । ଜୁଲାଇ ପର୍ଯ୍ୟନ୍ତ ଏହାକୁ ୧୨ ପ୍ରତିଶତରୁ ହ୍ରାସ କରି ୧୦ ପ୍ରତିଶତ ଅଂଶଦାନ କରିବାର ନିଷ୍ପତି ନିଆଯାଇଥିଲା । ଏହି ଅବଧି ଏବେ ଶେଷ ହୋଇଯାଇଛି । ଏହାର ଘୋଷଣା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପରି କରିଥିଲେ । ଅଗଷ୍ଟ ୧ ରୁ ଏହି ଯୋଜନା ଅନୁଯାୟୀ କର୍ମଚାରୀ ଙ୍କ ପାଇଁ ଯୋଗଦାନ ପୁଣି ୧୨ ରୁ ୧୨ ପ୍ରତିଶତ ହୋଇଯାଇଛି ।
ସେହିପରି ଆଜିଠୁ କାର ଏବଂ ବାଇକ ର ଇଂସ୍ୟୁରାନ୍ସ ପଲିସରେ ପରିବର୍ତ୍ତନ ହୋଇଯାଇଛି । ଭାରତୀୟ ବିମା ନିୟାମକ ଓ ବିକାଶ ପ୍ରାଧିକରଣ (ଇରଡା) ଅଗଷ୍ଟ ୧ରୁ ମୋଟର ଥାର୍ଡ ପାର୍ଟି ଏବଂ ଓନ୍ ଡ୍ୟାମେଜ୍ ଇଂସ୍ୟୁରାନ୍ସରେ ପରିବର୍ତ୍ତନ କରିଛି । ଇରଡାର ନିର୍ଦ୍ଦେଶକଙ୍କ ମୁତାବକ, ଏଣିକି ଗ୍ରାହକଙ୍କୁ କାର କିଣିବାରେ ୩ ବର୍ଷ ଏବଂ ବାଇକ କିଣିବାରେ ୫ ବର୍ଷର ଥାର୍ଡ ପାର୍ଟି କଭର ନେବା ବାଧ୍ୟତାମୂଳକ ନୁହେଁ ।
କିଛି ଭାରତୀୟ ବ୍ୟାଙ୍କ ସେଭିଙ୍ଗସ ଆକାଉଣ୍ଟରେ ମାସିକିଆ ମିନିମମ୍ ବାଲାନ୍ସ କୁ ନେଇ ଅଗଷ୍ଟରୁ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିରେ ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଆରବିଏଲ ବ୍ୟାଙ୍କ ସାମିଲ ଅଛି । ଏହି ବ୍ୟାଙ୍କ ଗୁଡିକ ଅଗଷ୍ଟ ୧ରୁ ନେଣଦେଣ ନିମୟରେ ପରିବର୍ତ୍ତନ କରିବାର ନିଷ୍ପତି ନେଇଛନ୍ତି ।
ଦେଶରେ କରୋନା ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ରେ ଗତିବିଧି ଥମିଯାଇଥିବାରୁ ଏହାକୁ ଏବେ ପର୍ଯ୍ୟାୟ କ୍ରମେ ଖୋଲାଯାଉଛି । ସେହିଅନୁଯାୟୀ ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ୍ ୩ । ସେଥିପାଇଁ ସରକାର ଗାଇଡ ଲାଇନ୍ ଜାରି କରିଛନ୍ତି । ଏଥିରେ କିଛିଟା କୋହଳ କରାଯାଇଛି । ଯେପରିକି ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସ୍ଥାନ ଗୁଡିକରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଅଗଷ୍ଟ ୫ ରୁ ଯୋଗ ଏବଂ ଜିମ୍ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଟାନ, ସିନେମାହଲ, ମନରଞ୍ଜନ ପାର୍କ, ଅଡିଟୋରିୟମ, ଥିଏଟର ଆଜି ବନ୍ଦ ରହିବ ।ସେହିପରି କୌଣସି ରାଜନୈତିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ, କ୍ରୀଡା କାର୍ଯ୍ୟକ୍ରମ ହେବ ନାହିଁ ।
କରୋନା କାଳ ମଧ୍ୟରେ ସରକାର ଘୋଷଣା କରିଥିଲେ କି ମାର୍ଚ୍ଚ ୨୫ ରୁ ଜୁନ୍ ୩୦, ୨୦୨୦ ପର୍ଯ୍ୟନ୍ତ ଯେଉଁ ଛୁଆ ୧୦ ବର୍ଷର ହୋଇଯାଇଛନ୍ତି, ସେମାନଙ୍କର ସୁକନ୍ୟା ସମୃଦ୍ଧି ଯୋଜନାର ଖାତା କେବଳ ଜନ୍ମ ତାରିଖରୁ ୧୦ ବର୍ଷ ପର୍ଯ୍ୟନ୍ତ ଖୋଲା ଯାଇ ପାରିବ ।
ସରକାରଙ୍କ ପକ୍ଷରୁ ଇ-କମର୍ସ କମ୍ପାନୀଙ୍କୁ ନେଇ ନୂତନ ନିୟମ ଅଧିସୂଚନା ଜାରି କରାଯାଇଛି । ଏବେ ଇ-କମର୍ସ କମ୍ପାନୀ ଗୁଡିକ ସେମାନଙ୍କର ଉତ୍ପାଦ ଉପରେ ଲେଖିବେ ଜିନିଷ କେଉଁଠି ତିଆରି ହୋଇଛି । ଯଦି କୌଣସି କମ୍ପାନୀ ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କମ୍ପାନୀ ଗୁଡିକ ମଧ୍ୟରେ ଫ୍ଲିପକାର୍ଟ, ମିନ୍ତ୍ରା, ସ୍ନାପଡିଲ ଭଳି କମ୍ପାନୀ ସାମିଲ ଅଛି ।
କୃଷକଙ୍କ ପାଇଁ ସରକାର କିଛି ନା କିଛି ନୂତନ ଯୋଜନା ଘୋଷଣା କରୁଛନ୍ତି । ଅଗଷ୍ଟ ୧ରୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅନୁଯାୟୀ ଷଷ୍ଠ କିସ୍ତି ପଠାଯିବ । ମୋଦି ସରକାର କୃଷକଙ୍କ ବ୍ୟାଙ୍କ ଖାତାରେ ୨ ହଜାର ଟଙ୍କାର ଷଷ୍ଠ କିସ୍ତି ପଠେଇବେ ।
ସେପଟେ ଆରବିଏଲ ବ୍ୟାଙ୍କ ଅଗଷ୍ଟ ୧ରୁ ସେଭିଙ୍ଗସ ଆକାଉଣ୍ଟରେ ମିଳୁଥିବା ସୁଧ ଦର ହ୍ରାସ ପାଇଁ ଘୋଷଣଈା କରିଛନ୍ତି । ନୂତନ ସୁଧ ଦର ଅଗଷ୍ଟ ୧ରୁ ଲାଗୁ ହେବ ।