ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲୁଟ ଲାଗି ପୁଣି ଏଟିଏମ କାଉଣ୍ଟରକୁ ଟାର୍ଗେଟ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ହାଇସିକ୍ୟୁରିଟି ଜୋନ କୁହାଯାଉଥିବା କମିଶନରେଟ ପୁଲିସ ଏରିଆ ଅର୍ଥାତ ଭୁବନେଶ୍ୱରରେ ହିଁ ଏଭଳି ଘଟଣା ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନା ପୁଲିସ ଘଟଣାରେ ଜଡିତ ୨ ଅଭିଯୁକ୍ତକୁ ଗିରଫ କରିଛି । ସେମାନେ ହେଲେ ପାଇନଗର ଅଞ୍ଚଳର ସାଗର ଓ ରୂପକ ।
ଏମାନେ ଡେଲଟା ଛକରେ ଥିବା ଏଟିଏମ କାଉଣ୍ଟରକୁ ଯାଇ ସେଠାରୁ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ଘଟିଥିଲା ଶୁକ୍ରବାର ରାତି ପ୍ରାୟ ୧୨ଟା ବେଳେ । ତେବେ ଏନେଇ କୌଣସି ସୂତରୁ ସୂଚନା ପାଇଥିଲା ପୁଲିସ । ପିସିଆର ଭ୍ୟାନ ପହଞ୍ଚିବା ବେଳକୁ ଉଭୟ ଏକ କଟର ମେସିନ ସାହାଯ୍ୟରେ ସଟର କାଟିବାକୁ ଉଦ୍ୟମ କରୁଥିଲେ । ପୁଲିସ ସଙ୍ଗେ ସଙ୍ଗେ ଉଭୟଙ୍କୁ କାବୁ କରି ଥାନାକୁ ନେଇଥିଲା । ତେବେ ସେମାନେ ଏହି ଗୋଟିଏ ଘଟଣାରେ ଜଡିତ ନା’ ଏହା ପୂର୍ବରୁ ସେମାନେ ଏପରି କାଣ୍ଡ ଅନ୍ୟ କେଉଁଠି କରିଛନ୍ତି ସେନେଇ କୌଶସି ସୂଚନା ମିଳିନାହିଁ ।
ଅନ୍ୟପକ୍ଷେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ତଳେ ଖଣ୍ଡଗିରି ଥାନା ପୁଲିସ ମଧ୍ୟ ଏକ ଏଟିଏମ ଲୁଟ ଘଟଣାକୁ ଭଣ୍ଡୁର କରିଥିଲା । ତେବେ ରାଜଧାନୀ ଭଳି ସ୍ଥାନରେ ଏଟିଏମକୁ ବାରମ୍ବାର ଦୁର୍ବୃତ୍ତମାନେ ଟାର୍ଗେଟ କରିବା ପ୍ରମାଣ କରୁଛି ସେମାନେ କମିଶନରେଟ ପୁଲିସକୁ ଆଦୌ ଖାତିର କରୁନାହାନ୍ତି ।
ସେପଟେ ଏହି ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ କିଛିଟା କ୍ଷେତ୍ରରେ ଦାୟୀ ବୋଲି ମତ ପ୍ରକାଶ ପାଇଛି । ଗଳିକନ୍ଦିରେ ଏଟିଏମ କାଉଣ୍ଟର ଖୋଲୁଥିବା ବେଳେ ଏହାର ସୁରକ୍ଷା କଥା ଚିନ୍ତା ନକରିବା ଏହାର ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତେଣୁ ପ୍ରତିଟି କାଉଣ୍ଟରରେ ସିକ୍ୟୁରିଟି ବ୍ୟବସ୍ଥା ଲାଗୁ କରିବାକୁୁ ସର୍ବସାଧାରଣରେ ଦାବି ହୋଇଛି ।