ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଉ କେଇ ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ ହକିର ଉଦଘାଟନୀ ଉତ୍ସବ । ଏହାକୁ ନେଇ ଉତ୍ସାହର ସହ ଚାହିଁ ବସିଛନ୍ତି ଦର୍ଶକ । ବଲିଉଡରେ ହଙ୍ଗାମା ମଚଉଥିବା ନାମୀଦାମୀ ତଥା ମନପସନ୍ଦର କଳାକାରଙ୍କୁ ପାଖରୁ ଦେଖିବା ପାଇଁ ଷ୍ଟାଡିୟମ ଆଗରେ ଗହଳି ଚହଳି ଜମି ରହିଛି । ତେବେ ଉଦଘାଟନୀ ଉତ୍ସବର ମଜା ନେବା ପାଇଁ କିଏ ଶିବ ବେଶରେ ତ ଆଉ କିଏ ମୁହଁରେ ରଙ୍ଗରେ ସଜେଇ ହୋଇ ଅପେକ୍ଷା କରି ବସିଛନ୍ତି ।
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଆରମ୍ଭ ହେବାକୁ ଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡର କିଙ୍ଗ ଖାନ ଏବଂ ୯୦ ଦଶକର ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀଙ୍କୁ ଦେଖିବା ପାଇଁ ଗେଟ ଆଗରେ ଚାତକ ଭଳି ଚାହିଁ ବସିଛନ୍ତି ଦର୍ଶକ । ବଲିଉଡର ବଡ କଳାକାରଙ୍କ ଯୋଗଦାନ ଏବଂ ଏତେ ବଡ ଟୁର୍ଣ୍ଣାମେଣ୍ଟ ପାଇଁ ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଷ୍ଟାଡିୟମ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ପଡିଛି । ନିଜର ଅନଲାଇନ ଟିକେଟକୁ ଦେଇ ଅସଲ ଟିକେଟ ପାଇଁ ଏବେ ସୁଧା ଲମ୍ବା ଧାଡି ଲାଗିଛି । ଟିକେଟ ନପାଇଥିବା ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । କାରଣ ଏବେ ବି ଆଶା ରଖିଛନ୍ତି କାଳେ କିଏ ଗୋଟେ ଟିକେଟ ଯୋଗାଡ କରିଦେବ କି ? ଅଧିକ ଟଙ୍କା ହେଉ ବରଂ ଟିକେଟ ଖଣ୍ଡେ ପାଇଁ ଅନେଇ ବସିଛନ୍ତି ବହୁ ଟିକେଟ ନ ପାଇଥିବା ହତାସିଆ ଦର୍ଶକ ।
ରିପୋର୍ଟ ; ଗୁଣନିଧି ବେହେରା