ଶ୍ରୀନଗର (ଏଟିଆର ବ୍ୟୁରୋ) : ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । କାଶ୍ମୀରର ପ୍ରଖ୍ୟାତ ସାମ୍ବାଦିକ ଶୁଜାତ ବୁଖାରୀଙ୍କ ହତ୍ୟା ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ନବୀଦ୍ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଛି । ବୁଧବାର ସକାଳେ ଜାମ୍ମୁ କାଶ୍ମିରର ବୁଡଗାମ ଛତେରଗାମ ଗାଁରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିବାର ସୂଚନା ପାଇବା ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ ଖାନତଲାସ ଆରମ୍ଭ କରିଥିଲେ । ଯେଉଁ ଘର ମଧ୍ୟରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉ ଥିଲା ଉକ୍ତ ଘରକୁ ସେନା ରକେଟ ଲଞ୍ଚରରେ ଉଡ଼ାଇ ଦେଇଥିଲେ । ଏହି ପ୍ରକ୍ରିୟା ଚାଲିଥିବାବେଳେ ଆତଙ୍କବାଦୀ ଗୁଳିରେ ୩ଜଣ ସେନା ଆହତ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀ ମଧ୍ୟରେ ନଭିଦ ଜୁତ ଥିବାର ପୋଲିସ ସୂଚନା ଦେଇଛି । ତେବେ ଏହା ପୂର୍ବରୁ ଫେବୃୟାରିରେ ନଭିଦ ପୋଲିସ ଆଖିରେ ଧୂଳି ଦେଇ ଖସିଯାଇଥିଲେ ।
ଗତ ୧୪ ଜୁନରେ କାଶ୍ମୀରର ଅନ୍ୟତମ ଅଗ୍ରଣୀ ଖବର ସରବରାହ ସଂସ୍ଥା ‘ରାଇଜିଂ କଶ୍ମୀର’ର ସମ୍ପାଦକଙ୍କୁ ହତ୍ୟା କରିଥିଲା ନବୀଦ୍ ଜାଟ୍ । ‘ରାଇଜିଂ କଶ୍ମୀର’ର ସମ୍ପାଦକ ସୁଜାତ୍ ବୁଖାରୀ ଏବଂ ତାଙ୍କର ଦୁଇଜଣ ଦେହରକ୍ଷୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ନବୀଦ୍ ଜଣେ । ଚଳିତ ବର୍ଷ ତାକୁ ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ନେଉଥିବାବେଳେ କୌଶଳକ୍ରମେ ହସ୍ପିଟାଲରୁ ଖସିଯାଇଥିଲା ୨୦ ବର୍ଷୀୟ ଆତଙ୍କବାଦୀ ନବୀଦ୍ । ସେ ଲସ୍କର ମୁଖ୍ୟ ଜାକି-ଉର୍ ରହମାନ୍ ଲଖ୍ଭିର ଘନିଷ୍ଠ ଥିଲା ବୋଲି ଜଣାପଡ଼ଛି ।