ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): କେତେ ସତ କହିଛନ୍ତି । କେତେ ମିଛ କହିଛନ୍ତି । ଆଉ କେତେ ଗାଲୁ ପେଲିଛନ୍ତି । ଏହାର ଗୋଟି ଗୋଟି ହିସାବ ଖୋଜିବ ପୁଲିସ । ଖାସ ଏଥିପାଇଁ ଦୁଇଦିନ ରିମାଣ୍ଡରେ ଆଣିବା ଲାଗି ଏବେ ଖାତାଖତିୟାନ ସଜାଡୁଛି ପୁଲିସ ।
ଘଟଣା ହେଉଛି ସେଲଟର ରୁମରେ ଛାତ୍ରୀଙ୍କୁ ଦିଆଯାଉଥିବା ନିର୍ଯାତନା କଥା । ଗୁଡ ନ୍ୟୁଜ ଇଣ୍ଡିଆ ମୁଖ୍ୟ ଫୈଜ ରେହମାନଙ୍କୁ ଗିରଫ ପରେ ଏବେ ତାଙ୍କୁ ୨ଦିନିଆ ରିମାଣ୍ଡରେ ଆଣିବ ପୁଲିସ । ଗୋଡାଇ ତୋଡାଇ ପ୍ରଶ୍ନ କରିବ । କାହିଁକି କ’ଣ ପାଇଁ ଓ ଏଥିରେ ଆଉ କେଉଁ ମୁଣ୍ଡି ମାନେ ଜଡିତ ରହିଛନ୍ତି ତାହାର କଚା ଚିଠା ଖୋଜିବ । ଏଯାବତ ଫୈଜ ଯେଉଁ କଥା ଲୁଚାଇ ରଖିଛନ୍ତି ବା କହିନାହାନ୍ତି ତାହା ରିମାଣ୍ଡ ସମୟରେ ବଖାଣିବେ ବୋଲି ପୁଲିସ ଆଶା ବାନ୍ଧିଛି ।
ସେପଟେ ରାଜ୍ୟର ଅନ୍ୟାନ ସ୍ଥାନ ତଥା ବାହାର ରାଜ୍ୟରେ ତାଙ୍କ ସଂସ୍ଥା ପକ୍ଷରୁ ଚାଲିଥିବା ସେଲଟର ହୋମଗୁଡିକର ପରିଚାଳନା ତଥା ବିଦେଶୀ ଲିଙ୍କ ନେଇ ମଧ୍ୟ ଖୋଳତାଡ କରାଯିବ । ଆବଶ୍ୟକ ପଡିଲେ ଜେଲରେ ଥିବା ବାକି ୨ଜଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ପୁଲିସ ସ୍କାନରକୁ ଆଣିପାରେ ବୋଲି ସୂଚନା ମିଳିଛି ।