ସରିଥିଲା ନିର୍ବନ୍ଧ, ଆଉ ମାତ୍ର କେଇଟା ଦିନରେ ହୋଇଥାନ୍ତା ବାହାଘର । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ବାହାଘର ହେବା ଆଗରୁ ଚାଲିଗଲା ବର ବଧୂଙ୍କ ଜୀବନ । ଏହି ଘଟଣାରେ ମୂଖ୍ୟ ଆସାମୀ ଥିଲେ ନିଜେ ଝିଅର ବାପା । ଏଭଳି ଏକ ଅଭାବନୀୟ ଦୃଶ୍ୟ ପାକିସ୍ତାନର କରାଚୀରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଯାହାକୁ ଦିନେ କୋଳେଇ କାଖେଇ ବଡ କରିଥିଲେ । ଆଜି ତାର ଜୀବନ ନେବାରେ ପଛାଇ ନାହିଁ ସେହି ସଇତାନ ପିତା । କେବଳ ଏତିକି ନୁହେଁ ଝିଅର ଭାବି ସ୍ୱାମୀକୁ ବି ମାରି ଦେଇଛି । ଆଜ୍ଞା ହଁ କରାଚୀରେ ରହୁଥିବା ଜଣେ ପିତା ତାଙ୍କ ୧୯ବର୍ଷର ଝିଅ ପାଇଁ ବାହାଘର ଠିକ୍ କରିଥିଲେ । ସେଥିପାଇଁ ନିର୍ବନ୍ଧ ମଧ୍ୟ ସରି ଯାଇଥିଲା । ମାତ୍ର ନିର୍ବନ୍ଧ ପରେ ଝିଅଟି ତାର ଭାବି ସ୍ୱାମୀଙ୍କ ସହିତ ଏକ ସେଲ୍ଫି ନେଉ ଥିବାର ଦେଖି ରକ୍ତ ଚାଉଳ ଚୋବାଇ ଥିଲେ ଝିଅର ବାପା । ଏଥିପାଇଁ ସେ ରାଗରେ ନିଜ ଜନ୍ମ କଲା ଝିଅକୁ ଖାଦ୍ୟରେ ବିଷ ଦେଇ ହତ୍ୟା କରିବା ସହ ମୃତ ଦେହକୁ ମାଟିରେ ପୋତି ଦେଇଥିଲେ । ଏହାପରେ ଭାବି ଜ୍ୱାଇଁକୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ସମ୍ପର୍କରେ ପୋଲିସ ଝିଅର ମାଆ ଠାରୁ ଜାଣିଲା ପରେ ଅଭିଯୁକ୍ତକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି ।