ପାଣାଜି (ଏଟିଆର ବ୍ୟୁରୋ): ଦୀର୍ଘଦିନ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ସେଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏପରିକି ସେ ଅସ୍ତ୍ରୋପଚାର ଲାଗି ଆମେରିକା ମଧ୍ୟ ଯାଇଥିଲେ ।
ମୁମ୍ବାଇ ଉଚ୍ଚନ୍ୟାୟାଳୟର ପାଣାଜୀ ପୀଠରେ ମଙ୍ଗଳବାର ଗୋଆର ମୁଖ୍ୟ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅଧିକ ସୂଚନା ଦେବା ଲାଗି ଲିଖିତ ଆକାରରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାରିକର ଏବେ ପାକସ୍ଥଳୀ କକର୍ଟରେ ଆକ୍ରାନ୍ତ ହୋଇ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି । ମାତ୍ର ସେ କୌଣସି ବୈଠକ କିମ୍ବା ସମାହାରରେ ଯୋଗ ଦେଉନାହାନ୍ତି ।
ନ୍ୟାୟମୂର୍ତ୍ତି ଆର ଏମ୍ ବୋର୍ଡ୍ ଓ ଗୋଆର ସ୍ଥାନୀୟ ନେତା ଟ୍ରାଜେନୀ ଡିମେଲୋଙ୍କ ପିଟିସନ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଡିମେଲୋ ଚଳିତ ମାସ ଆରମ୍ଭରେ ପିଟିସନ ଦାଖଲ କରିଥିଲେ । ପାରିକର ନଅ ମାସ ପର୍ଯ୍ୟନ୍ତ ଗୋଆ, ମୁମ୍ବାଇ, ନିଉର୍କ ଓ ଦିଲ୍ଲୀ ହସସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ।ସେହିପରି ୧୪ ଅକ୍ଟୋବରରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହୋଇ ଫେରିବା ପରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।
୪ ଦିନ ପୂର୍ବରୁ ଭାରତୀୟ ଜନତାପାର୍ଟିର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ଦେଖାକରିବା ସହ ତାଙ୍କ ସ୍ୱାସ୍ଥରେ ଉନ୍ନତି ଆସିବା କଥା କହିଥିଲେ । ପାରିକରଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ସାର୍ବଜନୀନ କରିବା ଲାଗି ମୁମ୍ବାଇ ଉଚ୍ଚନ୍ୟାୟାଳୟ ପାଣାଜୀ ପୀଠରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି ଚାଲିଛି ।