ଅନୁଗୁଳ (ଏଟିଆର ବ୍ୟୁରୋ): ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଛି ।
ଗତକାଲି ରାତିରେ ଅନୁଗୁଳ ଜିଲ୍ଲା ବୋଲାସିଂହ ଗ୍ରାମର କିଛି ଲୋକ କୋରାପୁଟରୁ ପିକନିକ ସାରି ଏକ ୱିଙ୍ଗରରେ ଗାଁକୁ ଫେରୁଥିଲେ । ହେଲେ ୫୫ନମ୍ବର ଜାତୀୟ ରାଜପଥର ପତଡା ନିକଟରେ ରାତି ପ୍ରାୟ ଗୋଟାଏ ବେଳେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଁଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ତେବେ ଦୁର୍ଘଟଣାଟି କେଉଁ କାରଣରୁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ଡ୍ରାଇଭର ଜଣଙ୍କ ଗାଡି ଚଲାଇବା ବେଳେ ଘୁମେଇ ପଡିଥିବା ଅନୁମାନ କରାଯାଉଛି ।