ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ନାବାଳକଙ୍କୁ ଅପହରଣ ପରେ ଅତି ନୃଶଂସ ଭାବେ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବର୍ତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ । ମୃତ ନାବାଳକ ହେଉଛନ୍ତି ଗୁରଣ୍ଡି ଗାଁର କୁନୁ ସେଠିଙ୍କ ପୁଅ ଭିକୁ ।
ପୁଲିସ ଭିକୁର ମୃତଦେହକୁ ନରସଂହପୁର ଗାଁ ନିକଟରେ ଥିବା ଆମ୍ବତୋଟାରୁ ଜବତ କରିଛି । ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୬ତାରିଖ ସନ୍ଧ୍ୟାରୁ ଭିକୁ ଘରୁ ନିଖୋଜ ହୋଇଯାଇଥିଲା । ତେବେ ଭିକୁ କୁ କିଏ ଓ କାହିଁକି ହତ୍ୟା କଲା ସେନେଇ ଏଯାବତ୍ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଘଟଣା ପଛରେ ବ୍ରାହ୍ମଣୀପଲ୍ଲୀର ଲିଙ୍ଗରାଜ ସେଠୀଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
କାରଣ ନିଖୋଜ ଦିନ ହିଁ ଲିଙ୍ଗରାଜ ବିଭିନ୍ନ ପ୍ରଲୋଭନ ଦେଖାଇ ଭିକୁକୁ ସାଙ୍ଗରେ ନେଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ହତ୍ୟାକାଣ୍ଡ ପାଇଁ ନିମଖଣ୍ଡି ଫାଣ୍ଡିକୁ ମଧ୍ୟ ଦାୟୀ କରିଛନ୍ତି ଭିକୁଙ୍କ ପରିବାର ଲୋକ । ନିଖୋଜ ସମ୍ପର୍କରେ ପରିବାର ଲୋକେ ପୁଲିସକୁ ଜଣାଇଥିଲେ ବି ପୁଲିସ କୌଣସି ସେତେଟା ଆନ୍ତରିକତା ଦେଖାଇନଥିଲା ।
ବରଂ ପୁଅକୁ ପାଇବା ନେଇ ବାରମ୍ବାର ଥାନାକୁ ଦୌଡି ଦୌଡି ହତାସ ହୋଇଥିଲେ ପରିବାର ଲୋକ । ତେବେ ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଯଦିଓ ପୁଲିସ ୩ଦିନ ପରେ ଅପହରଣ ମାମଲା ରୁଜୁ କରିଥିଲା । ହେଲେ ଏହାପରେ ମିଳିଥିଲା ଭିକୁର ରକ୍ତ ଜୁଡୁବୁଡୁ ମୃତଦେହ । ତାହା ପୁଣି ସେହି ବ୍ରାହ୍ମଣୀପଲ୍ଲୀ ନିକଟରେ ଥିବା ଏକ ଆମ୍ବତୋଟା ପାଖରୁ । ତେଣୁ ହତ୍ୟା ପଛରେ ଲିଙ୍ଗରାଜର ହାତ ଥିବା ଅଭିଯୋଗ ହୋଇଛି ।