ଭଦ୍ରକ (ଏଟିଆର ବ୍ୟୁରୋ): ବିଷାକ୍ତ ଫଳ ଖାଇ ୧୦ ରୁ ଅଧିକ କୁନି କୁନି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଏଭଳି ଏକ ଦୃଶ୍ୟ ଭଦ୍ରକ ଜିଲ୍ଲା ତିହିଡି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିବା ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବରମୁତାବକ, ତିହିଡି ପ୍ରାଥମିକ ବିଦ୍ୟାଳୟରେ ଗତକାଲି କିଛି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଖେଳ ପଡିଆରେ ଖେଳୁଥିଲେ । ଅଚାନକ୍ ସେମାନଙ୍କ ନଜର ପଡିଥିଲା ପାଚେରୀ କଡରେ ଥିବା ଏକ ଗଛର ଫଳ ଉପରେ । ତୁରନ୍ତ ଗଛ ମୂଳକୁ ଧାଇଁ ଯାଇ ଫଳ ଖାଇଥିଲେ । କିନ୍ତୁ ଜାଣିନଥିଲେ ଯେ ସେ ଫଳ ବିଷାକ୍ତ ବୋଲି । ଫଳ ଖାଇବାର କିଛି ସମୟ ପରେ ହଠାତ୍ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ । ଏବେ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି ।