ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ୧୪୬ ଟି ଆସନ ମଧ୍ୟରୁ ଗୋଟିଏ ଆସନର ଫଳାଫଳ ବାହାରି ଯାଇଛି । ନବରଙ୍ଗପୁର ବିଧାନସଭା ଫଳାଫଳ ଘୋଷଣା ହୋଇଛି । ଏହି ଆସନରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟ ହୋଇଛନ୍ତି । ବିଜୟରୁ ହିଁ ଅଭିଯାନ ଆରମ୍ଭ କରିଛି ବିଜେଡି । ତେବେ ଏବେ ସୁଦ୍ଧା ଗଣତି ଚାଲିଥିବା ଆସନରେ ବିଜେଡି ଲିଡରେ ରହିଛି । ପୁଣିଥରେ ସରକାର ଗଠନ କରିବ ବୋଲି ଏକଜିଟ ପୋଲ ମତ ମଧ୍ୟ ଆସିଥିଲା । ତେବେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବ ।
ନବରଙ୍ଗପୁର ବିଧାନସଭା ଆସନରେ ହୋଇଥିଲା କଡା ଟକ୍କର । ଏଠାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜୟ ପାଇଁ ଅଣ୍ଟା ଭିଡିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟ ବାନା ଉଡାଇଛନ୍ତି । ସେ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଗୌର ମାଝୀଙ୍କୁ ପରାସ୍ତ କରିଛନ୍ତି । ସଦାଶିବ ୭୦୭୯ ଭୋଟରେ ବିଜୟ ହୋଇଛନ୍ତି ।
ବିଜେଡି ବିଜୟରୁ ଖାତା ଖୋଲିଥିବାରୁ କର୍ମୀ ଏବଂ ନେତାମାନେ ବେଶ ଖୁସି ଅଛନ୍ତି । ଏହି ବିଜୟ ଧାରା ଜାରି ରହିବ ଏବଂ ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ଦଳ ସପକ୍ଷରେ ଯିବ ବୋଲି ବିଜେଡିର ତୁଙ୍ଗ ନେତାମାନେ କହିଛନ୍ତି । ତେବେ ଶେଷରେ କାହା ହାତକୁ ରାଜ୍ୟ ଶାସନ ଭାର ଯିବ ତାଉପରେ ସମସ୍ତଙ୍କ ନଜର । ଆଉ ମାତ୍ର କେଇ ଘଣ୍ଟା ପରେ ଗୋଟିଏ ପରେ ଗୋଟିଏ ଫଳାଫଳ ହସ୍ତଗତ ହୋଇଯିବ ।