ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ରେ ମାତିଛନ୍ତି ଦଲାଲ । ନିଯୁକ୍ତି ହେଉ କି ବଦଳି ସବୁଥିରେ କାରବାର ହେଉଛି ମୋଟା ଅଙ୍କର ରୋକଡା । ଯିଏ ଯେତେ ଅଧିକ ଦେଉଛି ତା ଫାଇଲ ସେତେ ଜଲଦି ଘୁଞ୍ଚି ପାରୁଛି । ଜନୈକ ପଟ୍ଟନାୟକ ବାବୁ ହିଁ ଏହି କେଳେଙ୍କାରୀର ମୁଖ୍ୟ ନାୟକ ବୋଲି ଆଲୋଚନା ହେଉଛି ।
ସଦ୍ୟ ସମାପ୍ତ କନସଲଟାଂଟ ଆଇଇସି/ବିସିସି ପଦବୀରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅଭିଜ୍ଞ ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଯାହାକୁ ନେଇ ଆରମ୍ଭ ହୋଇଛି ଘଂଟାଚକଟା । କେଉଁ ପରିସ୍ଥିତିରେ ସଂପୃକ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ ଦିଆଗଲା ବୋଲି ଆଲୋଚନା ଜୋର ଧରିଛି । ତେବେ କୁହାଯାଉଛି ଏହା ପଛରେ ମଧ୍ୟ ସେହି କରିତକର୍ମା ପଟ୍ଟନାୟକ ବାବୁଙ୍କୁ ହାତ ରହିଛି ।
ବ୍ଲକ ଓ ଜିଲ୍ଲା ସ୍ତରରେ ନୂତନ ନିଯୁକ୍ତି ପାଇଁ ପଟ୍ଟନାୟକ ବାବୁ କୁଆଡେ ଲକ୍ଷ ଲକ୍ଷ ଟଙ୍କା ହାତଗୁଂଜା ନେଉଥିବା ଶୁଣିବାକୁ ମିଳୁଛି । ତେବେ ଏହି ଟଙ୍କାର ସିଂହଭାଗ ଅଂଶ ଜନୈକ ମନ୍ତ୍ରୀଙ୍କ ପାଖକୁ ଯାଉଥିବା ଆଲୋଚନା ହେଉଛି । ଚାକିରୀ ଲୋଭରେ ଏନେଇ କେହି କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନଥିଲେ ବି ଏହା ପଛରେ ଏକ ବିରାଟ ରାକେଟ କାମ କରୁଥିବା କିଛି ଅଧିକାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି । ଏହି ରାକେଟରେ କୁଆଡେ କିଛି ବଡବାବୁ ବି ସାମିଲ ଅଛନ୍ତି । ଆଦାୟ ହେଉଥିବା ଟଙ୍କା ଜନୈକ ମନ୍ତ୍ରୀଙ୍କ ପକେଟକୁ ଯାଉଥିବା ବି ଚର୍ଚ୍ଚା ହେଉଛି । ବିଭାଗର ତଳୁ ଉପର ପର୍ଯ୍ୟନ୍ତ ଏକଥା ଜାଣିଥିଲେ ବି ପଟ୍ଟନାୟକ ବାବୁଙ୍କ ଦବଦବା ଆଗରେ କେହି ପାଟି ଫିଟାଇବାକୁ ସାହସ କରୁ ନଥିବା ବେଳେ ଏହି ରାକେଟର ଚେର ବହୁ ଗଭୀରକୁ ଯାଇଥିବା ଅନୁମାନ କରାଯାଉଛି । କେବେ ପଟ୍ଟନାୟକ ବାବୁଙ୍କ କଳା କାରନାମର ପର୍ଦ୍ଦାଫାଶ ହେଉଛି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।