ତେଲେଙ୍ଗାନା (ଏଟିଆର ବ୍ୟୁରୋ ) : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ । କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ୧୧୯ ଆସନରୁ କେସିଆରଙ୍କ ଟିଆରଏସ ଦଳ ୮୮ଟି ଆସନ ଦଖଲ କରି ଏକକ ସଂଖ୍ୟା ଗରିଷ୍ଠତା ପାଇଛି ।
ତେଲେଙ୍ଗାନା ରାଜଭବନ ପରିସରରେ ଆୟୋଜିତ ଶପଥଗ୍ରହଣ ଉତ୍ସବରେ କେସିଆରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ରାଜ୍ୟପାଳ ଇଏସଏଲ ନରସିଂହା । ଦିନ ପ୍ରାୟ ୧ଟା ୩୪ରେ ସେ ଶପଥ ନେଇଥିଲେ । ତାଙ୍କ ସହ ବିଗତ ଥରର ଡେପୁଟି ମୁଖ୍ୟମନ୍ତ୍ରୀ ମହମ୍ମଦ ଅଲ୍ଲୀ ମଧ୍ୟ ଶପଥ ନେଇଛନ୍ତି । ଅଲ୍ଲୀ ପୁଣିଥରେ ସେହି ପଦବୀରେ ରହିବେ ବୋଲି ଆଶା କରାଯାଉଛି । ଆସନ୍ତା ସପ୍ତାହରେ କେସିଆର ତାଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିବେ ବୋଲି ଜାଣିବାକୁ ମିଳିଛି ।