ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ପୁଣି ରାଜଧାନୀରେ ଫୁଟିଛି ଗୁଳି । ଗୁପଚୁପ ବେପାରୀଙ୍କୁ ଲୁଟ ବେଳେ ଗୁଳି ଫୁଟାଇଛନ୍ତି ଦୁର୍ବୃତ୍ତ । ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଏହା ଘଟିଥିବା ଜଣାପଡିଛି । ତେବେ ସୌଭାଗ୍ୟବଶତଃ ଗୁଳିଟି ଖଟାପାଣି ହାଣ୍ଡିରେ ବାଜିବାରୁ ବେପାରୀ ଜଣକ ବର୍ତ୍ତି ଯାଇଛନ୍ତି ।
ମିଳିଥିବା ଖବର ଅନୁସାରେ, କାଶିପୁର ଗାଁରେ ଭଡାରେ ରହୁଥିବା ଗୁପଚୁପ ବେପାରୀ ରବିନ୍ଦ୍ର ସ୍ୱାଇଁ ସବୁଦିନ ପରି ଗୁରୁବାର ରାତିରେ ବେପାର ସାରି ଘରକୁ ଫେରୁଥିଲେ । ତେବେ ୧୬ ନମ୍ବର ଜାତୀୟ ରାଜପଥରୁ କୋଲ ଇଣ୍ଡିଆ ଗେଟ ପାଖରେ ସାଇକେଲ ଗଡାଇ ଯାଉଥିବା ବେଳେ ଦୁଇଟି ବାଇକରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ତେବେ ରବିନ୍ଦ୍ରଙ୍କ ପାଖରେ ଥିବା ୯ଶହ ଟଙ୍କା ଛଡାଇ ନେବା ବେଳେ ସେ ପାଟି କରିବାରୁ ଦୁର୍ବୃତ୍ତ ମାନଙ୍କ ଭିତରୁ ଜଣେ ପିସ୍ତଲ କାଢ଼ି ଗୁଳି ଫୁଟାଇଥିଲା । ସୌଭାଗ୍ୟବଶତଃ ଗୁଳିଟି ଖଟାପାଣି ହାଣ୍ଡିରେ ବାଜିବାରୁ ରବିନ୍ଦ୍ର ବଂଚି ଯାଇଛନ୍ତି । ପ୍ରାଣ ବିକଳରେ ରବିନ୍ଦ୍ର ସେଠାରୁ ଦୌଡି ପଳାଇଥିବା ବେଳେ ଦୁର୍ବୃତ୍ତମାନେ ଜାତୀୟ ରାଜପଥରେ ଖୋର୍ଦ୍ଧା ଆଡକୁ ଚାଲିଯାଇଥିଲେ । ଖବର ପାଇ ତମାଣ୍ଡୋ ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତମାନଙ୍କ ଟେର ପାଇନି ।