ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ବଲିଉଡରେ ଏଣ୍ଟ୍ରି ମାରିବେ କିଙ୍ଗ୍ ଖାନ ତନୟା ସୁହାନା ଖାନ । ଫିଲ୍ମ ଜିରୋର ସୁଟିଙ୍ଗ ସେଟରେ ବଲିଉଡ ବାଦଶାହା ଶାହାରୁଖଙ୍କ ଝିଅ ସୁହାନାଙ୍କୁ ସ୍ପଟ କରାଯାଇଥିବା ବେଳେ ଖୁବଶୀଘ୍ର ସେ ଇଣ୍ଡଷ୍ଟ୍ରୀରେ ପାଦ ଦେବେ ବୋଲି ଜଣାପଡିଛି । ତେବେ ଏହାକୁ ନେଇ ବାପା ଶାହାରୁଖ କରିଛନ୍ତି ବଡ ଖୁଲାସା ।
ବହୁ ଚର୍ଚ୍ଚିତ ଫିଲ୍ମ ଜିରୋର ସୁଟିଙ୍ଗ ସେଟରେ ସୁହାନା ସ୍ପଟ ହେବା ପରେ ଏହି ଫିଲ୍ମରେ ତାଙ୍କର କ୍ୟାରେକ୍ଟର ଥିବା ନେଇ ବି-ଟାଉନରେ ଜୋର ଚର୍ଚ୍ଚା ହୋଇଥିଲା । କିନ୍ତୁ ଫିଲ୍ମରେ ସୁହାନା ନଥିବା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ଏକ ଇଣ୍ଟରଭ୍ୟୁରେ ଏହାର ଜବାବ ରଖିଛନ୍ତି ସୁହାନାଙ୍କ ପିତା ଶାହାରୁଖ । ସେ କହିଛନ୍ତି ମୁଁ ବି ଚାହୁଁଛି ମୋ ଝିଅ ଇଣ୍ଡଷ୍ଟ୍ରୀକୁ ଆସୁ । କିନ୍ତୁ ସେ ବଡ ପରଦାକୁ ଆସିବା ପୂର୍ବରୁ ପ୍ରଥମେ ଅଭିନୟ ଶିଖିବା ଦରକାର । ନଚେତ କେବଳ ଫିଲ୍ମରେ ନଜର ଆସିଲେ କଣ ହେବ । ସେଥିପାଇଁ ସୁହାନା ଜିରୋର ସୁଟିଙ୍ଗ ସେଟକୁ ଆସି ଫିଲ୍ମରେ ଅଭିନୟ କେମିତି କରାଯାଏ ତାହା ଦେଖୁଥିଲେ । ଶାହାରୁଖ ଆହୁରି ମଧ୍ୟ କହିଛନ୍ତି ମୁଁ ଚାହେଁନି ମୋ ଝିଅକୁ କେହି ଅଙ୍ଗୁଳି ଉଠାଇ କହୁ । ତେଣୁ ସେ ବି-ଟାଉନରେ ଏଣ୍ଟ୍ରୀ କରିବା ପୂର୍ବରୁ ତାକୁ ଅଭିନୟ ଶିଖିବା ନିହାତି ଦରକାର ।
ତେବେ ଏହା ପଛରେ ଆଉ ଏକ ସତ କଥା ବି କହିଛନ୍ତି ଶାହାରୁଖ । ପ୍ରକୃତରେ ଜିରୋର ଏକ ଗୀତର ସୁଟିଂ ଚାଲିଥିବା ବେଳେ ଏଥିପାଇଁ ଦୁଇ ସପ୍ତାହ ଦରକାର ଥିଲା । ଏମିତିରେ ସୁହାନା ବାପାଙ୍କୁ କହିଥିଲେ ଲଣ୍ଡନ ଯିବାକୁ ତାଙ୍କୁ ଆହୁରି ଦୁଇ ସପ୍ତାହ ବିଳମ୍ବ ଅଛି । ତେଣୁ ବାପାଙ୍କ ସହ ସୁଟିଂ ଦେଖିବାକୁ ଯିବାକୁ କହିଥିଲେ ଝିଅ ସୁହାନା । ଆଉ ପାପା ବି ମନା କରିବେ କେମିତି । ବାସ ତା ପରେ ବାପ ଝିଅ ଆସିଥିଲେ ସୁଟିଂ ସେଟକୁ । ତେବେ ଶାହାରୁଖ ଚାହାଁନ୍ତି ତାଙ୍କ ଝିଅ କ୍ୟାଟ୍ରିନା କେଫ୍ ଓ ଅନୁଷ୍କା ଶର୍ମାଙ୍କ ଠାରୁ ଅଭିନୟ ଶିଖୁ । ଫଳରେ ଭବିଷ୍ୟତରେ ଭଲ ଅଭିନୟ କରି ପାରିବ । ତେବେ ବଲିଉଡ ବାଦଶାହାଙ୍କ ଇଚ୍ଛା କେବେ ପୁରା ହେଉଛି ଆମେ ବି ଅପେକ୍ଷା କରିବା ତାହା ଦେଖିବା ପାଇଁ ।