ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ମହଙ୍ଗା ପଡିଲା ପରକିଆ ପ୍ରୀତି। ଏଥିପାଇଁ ଚାଲିଗଲା ଜଣକ ଜୀବନ । ଜଣେ ବିବାହିତ ମହିଳାଙ୍କ ଥିଲା ପ୍ରେମ ସମ୍ପର୍କ । ଏହି କଥା ଜାଣିବା ପରେ ମହିଳାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି । ଗୁଳି କରିଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏନେଇ ନିହାଲ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରିଛି । ମୃତକ ଜଣକ ହେଲେ ବିକାଶ ଯାଦବ (୨୮) । ସେ ଏକ ଜୋତା କାରଖାନାରେ କାମ କରନ୍ତି ।
ପୋଲିସ ରିପୋର୍ଟ ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଲକ୍ଷ୍ମୀ ପାର୍କ ଗଳିରେ ହଠାତ ବିକାଶଙ୍କ ଉପରକୁ ଗୁଳି ଚାଳନା ହୋଇଥିଲା । ଘଟଣାସ୍ଥଳରେ ଟଳି ପଡିଥିଲେ ବିକାଶ । ସ୍ଥାନୀୟ ଲୋକ ବିକାଶଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ନେବାରେ ବିଳମ୍ବ ହେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଏହି ଗୁଳିମାଡ ପଛରେ ରହିଛି ପରକିଆ ପ୍ରୀତିର କାରଣ । ଗୁଳି ମାରିଥିବା ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ସହିତ ମୃତ ବିକାଶର ପ୍ରେମ ସମ୍ପର୍କ ଥିଲା । ବହୁ ବାର ତାଗିଦ କରିବା ପରେ ମଧ୍ୟ ଚେତିନଥିଲେ । ଶେଷରେ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏବଂ ଅତି ନୃଂଶସ ଭାବରେ ଗୁଳି କରି ମାରି ଦେଇଥିଲେ । ତେବେ ଏହି ଘଟଣାର ଅଧିକ ସତ୍ୟାସତ୍ୟ ପାଇଁ ପୋଲିସର ତଦନ୍ତ ଜାରି କରିଛି ।