ପୁରୀ (ଏଟିଆର ବ୍ୟୁରୋ) : ବାର ଘଂଟାର ଲଢ଼େଇ । ଅପ୍ରମିତ ବଳ ପ୍ରୟୋଗ । ଅହଙ୍କାର ଓ ସ୍ୱାଭୀମାନର ଲଢ଼େଇରେ ଶେଷରେ ବାଜି ମାରିଛି ଭକ୍ତ । ଭକ୍ତର ଲୁହ ଦେଖି ଦୁଆର ଖୋଲି ଦେଇଛନ୍ତି ଠାକୁର । ଆଜ୍ଞା ହଁ, ପୁରୀ ବଡ ଦେଉଳ ସମସ୍ୟାର ସମାଧାନ ହୋଇ ଦ୍ୱାରଫିଟା ଯିବା ପରେ ଏହା ହେଉଛି ସମବେତ ଭକ୍ତଙ୍କ ପ୍ରତିକ୍ରିୟା ।
ଶେଷରେ ବଡ ଦେଉଳର ଦୁଆର ଫିଟିଛି । ଆରମ୍ଭ ହୋଇଛି ନୀତିକାନ୍ତି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବାଇଶିପାହାଚ ଚଢ଼ି ଦେଉଳକୁ ଯାଇଛି ଭକ୍ତ । ଦୀର୍ଘ ଘଂଟାର ଅପେକ୍ଷାର ଅନ୍ତଃ ହେବା ପରେ ଅପେକ୍ଷାରତ ଲକ୍ଷ ଲକ୍ଷ ଭକ୍ତ ଠାକୁରଙ୍କୁ ଦର୍ଶନ କରି ଆଶୀଷ ଭିକ୍ଷା କରିବାକୁ ଯାଇଛନ୍ତି ବଡ ଦେଉଳକୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଚାଲୁ ରହିବ ବୋଲି ଜଣାପଡିଛି ।
ତେବେ ଗତକାଲିର ପୁଲିସ-ସେବାୟତ ବିବାଦ ଉଗ୍ରରୁପ ନେବା ପରେ ଆଜି ସକାଳୁ ସେବାୟତମାନେ ଠାକୁରଙ୍କ ପହୁଡ ଖୋଲି ନଥିଲେ । ଭିତର କବାଟ ଖୋଲା ନଯିବା ଫଳରେ ୧୨ଘଂଟା ଧରି ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଥିଲା । ଏହାକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ଆଲୋଚନା କରାଯିବାକୁ ଚେଷ୍ଟା କରାଯାଇଥିବା ବେଳେ ସବୁ ଆଲୋଚନା ବିଫଳ ହୋଇଥିଲା । ଏହାକୁ ନେଇ ଅନେକ ତର୍କ ବିତର୍କ ହେବା ପରେ ଆଇନମନ୍ତ୍ରୀ ଓ ଗଜପତିଙ୍କ ହସ୍ତକ୍ଷେପ ଦାବୀ ହୋଇଥିଲା । ତେବେ କେଉଁ ଆଲୋଚନା ବଳରେ ଦୁଆର ଫିଟିଛି ତାହା ଜଣାପଡିନାହିଁ ।