ନୂଆଦିଲ୍ଲୀ,୧୭ା୨/ଏଜେନ୍ସି: ଜମ୍ମୁ-କଶ୍ମୀରର ସୁଞ୍ଜୱାନ୍ ସେନା କ୍ୟାମ୍ପରେ ହମ୍ଲା କରିଥିବା ୩ ଜଣ ଆତଙ୍କବାଦୀ ପାକିସ୍ତାନର ନାଗରିକ । ଏମାନେ ଗତବର୍ଷ ଜୁନ୍ ମାସରୁ ଅନ୍ତର୍ଜାତୀୟ ସୀମାରେଖା ଡେଇଁ ଭାରତରେ ଅନୁପ୍ରବେଶ କରିଥିଲେ ଓ ଆକ୍ରମଣ କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ ବୋଲି ଆଜି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେନା ଦ୍ୱାରା ସୁଞ୍ଜୱାନ୍ ଆତଙ୍କବାଦୀ ହମ୍ଲାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଏଭଳି ତଥ୍ୟ ରହିଛି ।
ତଥ୍ୟ ଅନୁସାରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଏହି ୩ ଜଣ ଆତଙ୍କବାଦୀମାନେ ପ୍ରଥମେ ପାକିସ୍ତାନ ସେନାର ସହାୟତାରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲେ । ଏହାପରେ ସେମାନେ ଦୀର୍ଘ ୭ ମାସ ହେଲା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲୁଚିଛପି ସୁରକ୍ଷାକର୍ମୀଙ୍କ ଉପରେ ହମ୍ଲା କରିବାକୁ ସୁଯୋଗ ଖୋଜୁଥିଲେ । ଗତ ୧୦ ତାରିଖରେ ଏହି ୩ ଜଣ ଆତଙ୍କବାଦୀ ସୁଞ୍ଜୱାନ୍ ସେନା ଶିବିରରେ ପ୍ରବେଶ କରି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଫଳରେ ୬ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀଙ୍କ ବାପା ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ ବୋଲି ପ୍ରାଥମିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।