ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଯେତେବେଳେ ଦେଖ ଚାଲିଛି ଖେଳ । ବିନ୍ଦାସ ଓ ବେଧଡକ । ନା’ ସ୍ଥାନୀୟ ଲୋକଙ୍କୁ ଖାତିର ନା’ ପୁଲିସକୁ ଭୟ । ଦୁଇ ଦୁଇଟି ଥାନାକୁ ପକେଟରେ ପୂରାଇ ଖୋଲା ଆକାଶ ତଳେ ଜୁଆ ଖେଳୁଛନ୍ତି ଦୁର୍ବୃତ୍ତ । ଏଭଳି ଅଜବ ଘଟଣା ଦେଖିବାକୁ ମିଳୁଛି ବ୍ରହ୍ମପୁର ଅଞ୍ଚଳରେ ।
ତେବେ ଅପରାଧକୁ ନେଇ ଯେତିକି ଚର୍ଚ୍ଚାରେ ବ୍ରହ୍ମପୁର ରହୁଛି ତାଠୁ ଅଧିକ ଚର୍ଚ୍ଚା ହେଉଛି ପୁଲିସର ଢ଼ିଲା କାର୍ଯ୍ୟକୁ ନେଇ । ଅଭିଯୋଗ ହେଉଛି ଦୁର୍ବୃତ୍ତଙ୍କ ସହ ପୂରା ସାଲିସ କରି ରହୁଛି ବ୍ରହ୍ମପୁର ପୁଲିସ । ଠିକ ଯେମିତି ଗୋପାଳପୁର ଓ ଚମାଖଣ୍ଡି ଥାନା ପୁଲିସ । ଏ କଥା ଆମେ ନୁହେଁ ବରଂ ସ୍ଥାନୀୟ ଲୋକେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ନଚେତ ଚମାଖଣ୍ଡି ଅଞ୍ଚଳରେ ଥିବା ଟାଟା ଷ୍ଟିଲ ପାଚେରୀ ନିକଟରେ ବେଧଡକ ଜୁଆ ଖେଳ ଚାଲିବା କ’ଣ ସମ୍ଭବ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ ।
ଅନୁସନ୍ଧାନରୁ ଜଣାପଡିଛି ଏହି ପାଚେରି ପାଖରେ ରିତିମତ ଜୁଆ ଖେଳ ଚାଲୁଛି । ଖେଳରେ କିଏ ଦେବାଳିଆ ହେଉଛି ତ’ ପୁଣି କିଏ ମାଲେମାଲ ହେଉଛି । ତେବେ ଯାହାର ଯାହା ହେଉ ଦୁଇଟି ଥାନା ବାବୁ କିନ୍ତୁ ଲାଭରେ ରହୁଥିବା ଲୋକେ କହୁଛନ୍ତି । ଉଭୟ ଥାନା ବାବୁ ଜୁଆଡୀଙ୍କୁ ହାତ କରି ନିଜ ପକେଟ ଭରା ଗରମ କରୁଥିବା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚା । ସବୁଠୁ ବଡ଼ କଥା ହେଉଛି ଜଣେ ପୁଲିସ ଏଏସଆଇ ପୂରା ଘଟଣାରେ ନାରଦ ସାଜିଛନ୍ତି । ଖେଳ ଆରମ୍ଭରୁ ଶେଷ ଯାଏଁ ସବୁ ଉପରେ ନଜର ରଖୁଛନ୍ତି । ଥାନାକୁ ଯେପରି କୌଣସି ଖବର ନଯାଏ ଓ ଖବର ପହଞ୍ଚିଲେ କିଭଳି ଏହାର ଦିଗ ବଦଳାଯାଏ ସେଥିରେ ସେ ମାହିର । ଖାସ ଏଥିପାଇଁ ଏହି ବେଆଇନ ଖେଳ ଉପରେ ରୋଗ ଲାଗିପାରୁନାହିଁ ।
ତେବେ ଏ ସମ୍ପର୍କରେ ଜାଣିବା ଲାଗି ଆମେ ଉଭୟ ଥାନାର ମତାମତ ନେବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ତୁରନ୍ତ ଘଟଣା ଉପରେ ବରିଷ୍ଠ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏନେଇ ଆମେ ଖୁବ ଶୀଘ୍ର ଆଉ ଏକ ବିଷ୍ଫୋରକ ରିପୋର୍ଟ ପ୍ରକାଶ କରିବୁ…..ଯେଉଁଥିରେ ସବୁ କିଛିର ପର୍ଦ୍ଦାଫାସ ହେବ….ବ୍ରହ୍ମପୁରରୁ ନବୀନ ରାଜଙ୍କ ରିପୋର୍ଟ ଏଟିଆର ନ୍ୟୁଜ