ଭୁବନେଶ୍ୱର, ୨୦ା୨/(ବ୍ୟୁରୋ): ଉଦୁଉଦିଆ ଖରାବେଳେ ପୁଣି ଜନଗହଳୀ ପୂର୍ଣ୍ଣ ସ୍ଥାନରୁ ଲୁଟ୍ । ଏକ ଟାଟା ସୁମୋ ଗାଡିକୁ ଅଟକାଇ ଗାଡି ସମେତ ନଗଦ ୨ଲକ୍ଷ ୩୦ହଜାର ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ବଡ଼ଗଡ଼ ଥାନା ରବି ଟକିଜ୍ ଛକ ନିକଟରେ । ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ଅକ୍ଷୟ ବଳିୟାରସିଂହ ବୋଲି ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଅକ୍ଷୟ ଅପରାହ୍ଣରେ ଟାଟା ସୁମୋ(ଓଆର ୦୨ ବିଟି ୫୫୨୧) ନେଇ ଏକ ବାହାଘରିଆ କାମରେ ଯାଉଥିଲେ । ସାଙ୍ଗରେ ଥିଲେ ବାରିକ ଏବଂ ଡ୍ରାଇଭର । ତେବେ ରବି ଟକିଜ ଛକରେ ଅଚାନକ୍ ୪ଜଣ ଦୁର୍ବୃତ୍ତ ୨ଟି ପଲସର ବାଇକରେ ଆସି ସୁମୋ ସହ ଜାଣିଶୁଣି ଧକ୍କା କରିଥିଲେ । ଏହାପରେ କାହିଁକି ଧକ୍କା କଲୁ କହି ସେମାନେ ଡ୍ରାଇଭର ସହ ଝଗଡ଼ା କରିଥିଲେ ।
ଅକ୍ଷୟ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ଛୁରି କାଢ଼ି ଭୟଭିତ କରିବା ସହ ଟଙ୍କା ଲୁଟ୍ପାଟ ଆରମ୍ଭ କରିଥିଲେ । ସିଧା ସୁମୋ ଗାଡିଟିକୁ ନେଇ ପଳାଇଥିଲେ । ତେବେ ଗାଡି ଭିତରେ ନଗଦ ୨ଲକ୍ଷ ୩୦ହଜାର ଟଙ୍କା ବ୍ୟାଗ ଥିବା ଅକ୍ଷୟ ପୁଲିସକୁ ଜଣାଇଛନ୍ତି । ଏତିକି ନୁହେଁ ବାରିକକୁ ଜୋର ଜବରଦସ୍ତ ସାଙ୍ଗରେ ନେଇଯିବା ସହ ଡ୍ରାଇଭରକୁ ଗାଡିରୁ ଠେଲି ତଳେ ପକାଇ ଦେଇ ସେମାନେ ପଳାଇଥିବା ଅକ୍ଷୟ କହିଛନ୍ତି ।
ଏସବୁ ଘଟଣା ଘଟିଥିଲା ସ୍ଥାନୀୟ ଲୋକଙ୍କ ଆଖି ଆଗରେ । କିନ୍ତୁ କେହି ହେଲେ ମୁହଁ ଖୋଲି ନଥିଲେ । ଖବର ପାଇ ପିସିଆର ୧୨ ଏବଂ ବାଇକ ପିସିଆର ପହଞ୍ଚି ଘଟଣାର ଖୋଳତାଡ କରୁଛି । ଲୁଟେରା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଦିନ ଦ୍ୱୀପ୍ରହରେ ଏପରି ଘଟଣାକୁ ନେଇ ପୁଲିସର ପାରିବା ପଣିଆ ଉପରେ ଲୋକେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ଏକ ସିସିଟିଭିକୁ ନେଇ ପୁଲିସ ଖୋଳତାଡ୍ ଆରମ୍ଭ କରିଥିବା ଜଣାପଡିଛି ।