ଭୁବନେଶ୍ୱର, ୨୦ା୨/(ବ୍ୟୁରୋ): ପୁଣି ଖଣ୍ଡଗିରି ପୁଲିସ ନାଁରେ ସାଙ୍ଘାତିକ ଅଭିଯୋଗ । ସେ ପୁଣି ଅଭିଯୋଗ ନ ରଖିବାର । ଆଇନ କହୁଛି ସମସ୍ତ ଅଭିଯୋଗକୁ ପୁଲିସ ରଖିବା କଥା । କିନ୍ତୁ କାହିଁକି ଖଣ୍ଡଗିରି ପୁଲିସ ଏପରି କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।
ସେପଟେ ମାଲ ପକାଇ ପୁଲିସ ଚୁପ ବସୁଥିବା ଚାରିଆଡେ ଚର୍ଚ୍ଚା । କାରଣ ନିକଟରେ ଖୋଦ ଥାନା ଅଧିକାରୀ ଯାତ୍ରା ପେଣ୍ଡାଲରେ ଠିଆ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥିପାଇଁ ବାବୁ ଯାତ୍ରା ମାଲିକଙ୍କୁ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି ।
ପୂରା ଘଟଣାଟି ଏହିପରି , ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ଠକେଇ ଅଭିଯୋଗ । ଆଉ କେହି ନୁହେଁ ବରଂ ଏମିତି ଅଭିଯୋଗ ଆଣିଥିଲେ ଖୋଦ୍ ଅଭିନେତ୍ରୀ ଓ ଅଭିନେତା । ଏନେଇ ସେମାନେ ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ । କିନ୍ତୁ ଅଭିଯୋଗ ରଖିବା ତ’ ଦୂରର କଥା ଓଲଟି ପୁଲିସ ଦୁଇ ଅଭିଯୋଗକାରୀଙ୍କୁ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପରାମର୍ଶ ଦେଇଛି । ଦୁଇ ଅଭିଯୋଗକାରୀ ମଙ୍ଗଳବାର ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ ଦାୟର କରିଥିବା ଜଣାପଡିଛି ।
ଠକେଇର ଶୀକାର ହୋଇଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଅଭିଯୋଗକୁ ଖଣ୍ଡଗିିରି ପୁଲିସ କ’ଣ ପାଇଁ ଗ୍ରହଣ କଲାନାହିଁ ତାହାକୁ ନେଇ ଏବେ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଯାତ୍ରାପାର୍ଟି ମାଲିକଙ୍କ ଚାପରେ ପୁଲିସ ଏଭଳି କାର୍ଯ୍ୟ କରିଛି ବୋଲି ଚର୍ଚ୍ଚା ଜୋର ଧରିଛି । ଖଣ୍ଡଗିରି ଥାନା ପାତ୍ରପଡାରେ ରୁହନ୍ତି ଓଡିଶା ରଙ୍ଗମଞ୍ଚ ଯାତ୍ରାପାର୍ଟିର ଅଭିନେତ୍ରୀ ବର୍ଷାରାଣୀ ନାୟକ ଓ ଅଭିନେତା ରାଜେଶ ନାୟକ । ଦୁହେଁ ଯାଁଳାରେ ଥିବା ରଙ୍ଗମଞ୍ଚ ଯାତ୍ରା ପାର୍ଟିରେ ଅଭିନୟ କରନ୍ତି ।
ଦୁହେଁ ଦୀର୍ଘ ଗୋଟିଏ ବର୍ଷ ଧରି ଯାତ୍ରାପାର୍ଟିରେ କାର୍ଯ୍ୟ କରିଥିଲେ ମଧ୍ୟ ମାଲିକ ତାଙ୍କୁ ସେମାନଙ୍କ ଅର୍ଥ ଦେଇନଥିଲେ । ଏନେଇ ସେ ବାରମ୍ବାର ଅଭିଯୋଗ କରିବା ପରେ ଯାତ୍ରାପାର୍ଟି ମାଲିକ ତାଙ୍କୁ ଚେକ୍ ଦେଇଥିଲେ । ହେଲେ ଚେକ୍ଟି ବାଉନ୍ସ ହୋଇଯାଇଥିଲା । ଦୁହେଁ ଏନେଇ ମାଲିକଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ ।