ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କାହାକୁ ଦଳ କାଢ଼ିଲାଣି ତ’ ଆଉ କିଏ ନିଜ ଇଚ୍ଛାରେ ଛାଡିଲାଣି । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ କଂଗ୍ରେସ ଦଳର ଏପରି ଅବସ୍ଥାକୁ ଦେଖିଲେ ଲାଗୁଛି ଯେମିତି ଦଳ ଉପରେ ଶନିଦଶା ପଡିଛି । ନବ ଦାସ ଓ ଯୋଗଶେ ସିଂହଙ୍କ ପରେ ଏବେ ହାତ ଛାଡିଛନ୍ତି ପଶ୍ଚିମ ଓଡିଶାର ହେଭି ୱେଟ ନେତା ପ୍ରଣୟ ସାହୁ । ସେ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ସେ କଂଗ୍ରେସ ଦଳର ଗୋଷ୍ଠୀ କନ୍ଦଳକୁ ଦାୟୀ କରିଛନ୍ତି । ତାଙ୍କ କହିବାନୁସାରେ, ବିଜେପୁର ଉପ-ନିର୍ବାଚନରେ ପରାଜୟ ହୋଇଥିଲା କଂଗ୍ରେସ । ଯାହାର ସମିକ୍ଷା କରିବା ଆବଶ୍ୟକ ଥିଲା । ଏନେଇ ସେ ଦଳକୁ ଜଣାଇଥିଲେ ବି କେହି ଏଥିପ୍ରତି ନିଘା ଦେଲେନାହିଁ । କାହିଁକି ବିଜେପୁରରେ କଂଗ୍ରେସ ଏଭଳି ଧୂଳି ଚାଟିଲା ତାର କାରଣ ବି ଖୋଜାଗଲା ନାହିଁ । ଦଳରେ କନ୍ଦଳ ହରଦମ ଲାଗି ରହିଛି ।
ସିଧା କହିବାକୁ ଗଲେ ଏହି କନ୍ଦଳ ଲାଗି ତାଙ୍କୁ ଅଣଦେଖା କରାଯାଉଛି । ଏହି ଦଳରେ ରହିଲେ ଲୋକଙ୍କ ବିକାଶ କରିହେବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ପ୍ରଣୟ । ଦଳରେ ଅଲୋଡା ହୋଇ ରହିବା ଅପେକ୍ଷା ଦଳରୁ ବାହାରିଯିବା ହିଁ ଭଲ ବୋଲି ନିଜ ପ୍ରତିକ୍ରୀୟାରେ ଜଣାଇଛନ୍ତି ପ୍ରଣୟ । ତେବେ ଏହାପରେ ସେ କେଉଁ ଦଳକୁ ଯାଇ ଲଢ଼ିବେ ଯଦିଓ ତାହା ସେ ସ୍ପଷ୍ଟ କରିନାହାନ୍ତି କିନ୍ତୁ ହାତ ଛାଡିବା ପରେ ସେ ମଧ୍ୟ ଶଙ୍ଖ ଫୁଙ୍କିବେ ବୋଲି ଚାରିଆଡେ ଚର୍ଚ୍ଚା । ଏବେ ଅପେକ୍ଷା ପ୍ରଣୟଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ।