ନବରଙ୍ଗପୁର (ଏଟିଆର ବ୍ୟୁରୋ); ମହଙ୍ଗା ପଡିଲା ପରକିଆ ପ୍ରୀତି । ସ୍ୱାମୀଙ୍କୁ ବାରମ୍ବାର ମନା କରିବା ପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିବାରୁ ରାଗି ଯାଇ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ସ୍ତ୍ରୀ । ପୋଲିସ ଖବର ପାଇ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସ୍ୱାମୀ । ଗୁରୁତର ଆହାତ ହେଲେ ସଦାଶିବ ହରିଜନ । ସଦାଶିବଙ୍କ ଗୁପ୍ତାଙ୍ଗ ପ୍ରାୟ ୯୦ ଶତକଡା କଟି ଯାଇଥିବା ଡାକ୍ତର କହିଛନ୍ତି । ତେବେ ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ଅଞ୍ଚଳରେ । ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ପୋଲିସ ରିପୋର୍ଟ ମୁତାବକ ଗଙ୍ଗେଇଙ୍କୁ ବିବାହ କରିଥିଲେ ମଧ୍ୟ ପର ସ୍ତ୍ରୀ ସହିତ ଖରାପ ସମ୍ପର୍କ ରଖୁଥିଲେ ସଦାଶିବ । ଯାହାକି ଗଙ୍ଗେଇଙ୍କୁ ପସନ୍ଦ ଆସୁନଥିଲା । ଏଣୁ ସେ ସ୍ୱାମୀଙ୍କୁ ବାରମ୍ବାର ବାରଣ କରୁଥିଲେ । କିନ୍ତୁ ସ୍ତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ ସଦାଶିବ । ତେବେ ଏହି କଥାକୁ ନେଇ ରବିବାର ରାତିରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏବଂ ସ୍ୱାମୀ ରାଗି ଘର ଭିତରୁ ଶୋଇବା ପାଇଁ ଯାଇଥିଲେ । ତେବେ ରାଗରେ ଥିବା ସ୍ତ୍ରୀଙ୍କ ମୁଣ୍ଡରେ ପିତ ଚଢ଼ି ଯାଇଥିଲା । ସ୍ୱାମୀ ଶୋଇଥିବା ଅବସ୍ଥାରେ ତାଙ୍କୁ ବାନ୍ଧି ଦେଇଥିଲେ ।
ସ୍ୱାମୀଙ୍କୁ ବାନ୍ଧିବା ପରେ ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇଥିଲେ ସ୍ତ୍ରୀ । ତେବେ ପାଟିକରିବା ପରେ ପରିବାର ଲୋକ ଦୌଡି ଆସି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ତେନ୍ତୁଳିଖୁଣ୍ଟା ମେଡିକାଲରେ ଭର୍ତ୍ତି କରିଥିଲେ । ଏବେ ତେନ୍ତୁଳିଖୁଣ୍ଟି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ସଦାଶିବ । ସଦାଶିବଙ୍କ ପରିବାର ଥାନାରେ ଅଭିଯୋଗ ଦେବା ପରେ ଅଭିଯୁକ୍ତ ସ୍ତ୍ରୀ ଗଙ୍ଗେଇ ହରିଜନଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।