ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଓ ବିଶିଷ୍ଟ ଆଦିବାସୀ ନେତା ଚୈତନ୍ୟ ପ୍ରସାଦ ମାଝୀ । ଦୀର୍ଘଦିନ ହେବ ଶ୍ରୀ ମାଝୀଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା । ମାତ୍ର ଆଜି ସକାଳୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।
୧୯୨୯ ମସିହା ନଭେମ୍ବର ମାସ ୨୯ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ବିଜ୍ଞାନ କ୍ଷେତ୍ରରେ ସ୍ନାତକ ଲାଭ କରିଥିଲେ । କଂଗ୍ରେସ ଦଳର ପାର୍ଥୀ ଭାବେ ୧୯୭୨ ରୁ ୧୯୭୮ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ହୋଇ କେନ୍ଦ୍ର କ୍ୟାବିନେଟ୍ ଏବଂ ପ୍ରୋଟ୍ରୋଲିୟମ ଡେପୁଟି ମିନିଷ୍ଟର ଦାୟିତ୍ୱରେ ଥିଲେ । ତାପରେ ୧୯୭୯ ରୁ ୧୯୮୫ ପର୍ଯ୍ୟନ୍ତ ଓପିଏସସିର ସଦସ୍ୟ ଥିଲେ ।
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ୧୯୯୦ ରୁ ୧୯୯୫ ଯାଏଁ ଶିକ୍ଷା ଏବଂ ଯୁବ କଲ୍ୟାଣ ମନ୍ତ୍ରୀର ଭାର ତୁଲାଇ ଥିଲେ ।
ଶ୍ରୀ ମାଝୀ ଜନଜାତି ଭାଷା ଏବଂ ସଂସ୍କୃତି ପାଇଁ ଅନେକ ବହି ମଧ୍ୟ ଲେଖିଥିଲେ । ଏହାସହିତ ସେ ଦିଲ୍ଲୀରେ ଥିବା ଅଲ ଇଣ୍ଡିଆ ଟ୍ରାଇବାଲ ଲିଟେରାରୀ ଫୋରମ ସଦସ୍ୟ ଥିଲେ ।