ମାଉଣ୍ଟ ମାଙ୍ଗାନୁଇ (ଏଟିଆର ବ୍ୟୁରୋ); ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ କରାଇବାରେ ହିଟ ମ୍ୟାନ ରୋହିତଙ୍କ ଅବଦାନ ରହିଛି । ରୋହିତ ଏହି ମ୍ୟାଚରେ ୬୨ ରନ କରିବାରେ ସକ୍ଷମ ହୋଇଥିଲେ । ତେବେ ରନ ମଧ୍ୟରେ ୩ଟି ଚୌକା ଏବଂ ୨ଟି ବିଶାଳ ଛକା ରହିଥିଲା । ଏହି ଦୁଇ ବିଶାଳ ଛକା ରୋହିତଙ୍କ ରେକର୍ଡର ମୁଖ୍ୟ କାରଣ । କାରଣ ଏହି ଛକା ବଳରେ ରୋହିତ ଧୋନୀଙ୍କ ସମକକ୍ଷ ହୋଇଛନ୍ତି । ଭାରତ ପକ୍ଷରୁ ଧୋନୀ ସର୍ବାଧିକ ୨୧୫ଟି ଛକା ମାରି ରେକର୍ଡ କରିଥିଲେ । ରୋହିତ ନିଜର ୧୯୯ତମ ମ୍ୟାଚରେ ଏହି ମାଇଲଖୁଣ୍ଟକୁ ପାର କରି ଧୋନୀଙ୍କ ସମକକ୍ଷ ହୋଇଛନ୍ତି । ଏଣୁ ରୋହିତଙ୍କ ନାଁରେ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇ ଯାଇଛି ।
ସବୁବେଳେ ବିଶାଳ ଛକା ମାରି ଚର୍ଚ୍ଚାରେ ରହିଥାନ୍ତି ରୋହିତ । ପ୍ରଥମେ ଧିମା ବ୍ୟାଟିଂ କରି ସେଟ ହେବା ପରେ ଧୂଆଁଧାର ଇନିଂସ ଖେଳିବାରେ ମାହିର ରୋହିତ । ଏଣୁ ତାଙ୍କୁ ହିଟ ମ୍ୟାନ ନାମରେ ନାମିତ କରାଯାଇଛି । ସେପଟେ କେବଳ ଛକା ପାଇଁ ରେକର୍ଡ ନୁହେଁ । ଏହି ମ୍ୟାଚରେ ରୋହିତ ଆଉ ଏକ ମାଇଲଖୁଣ୍ଟ ପାର କରିବା ସହିତ ଆଉ ରେକର୍ଡ ନିଜ ନାଁରେ କରିଛନ୍ତି । ରୋହିତ ୧୯୯ତମ ମ୍ୟାଚରେ ଅର୍ଦ୍ଧଶତକୀୟ ପାଳି ସହିତ ଲିଷ୍ଟ-ଏ କ୍ରିକେଟରେ ୧୦୦୦୦ ରନ କରିବାରେ ସଫଳ ହୋଇଛନ୍ତି । ରୋହିତ ଭାରତର ୧୦ତମ ବ୍ୟାଟ୍ସମ୍ୟାନ ଭାବରେ ଏହି ରେକର୍ଡ କରିଛନ୍ତିି । ପୂର୍ବରୁ ସଚିନ,କୋହଲି ଏବଂ ଧୋନୀଙ୍କ ଭଳି ମହାନ ଖେଳାଳି ଏହି ମାଇଲଖୁଣ୍ଟ ପାର କରିଛନ୍ତି ।
ଲିଷ୍ଟ-ଏ କ୍ରିକେଟରେ ଦିନିକିଆ ମ୍ୟାଚ ସହ ଅନ୍ୟ ଆନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ ସ୍କୋର ମଧ୍ୟ ସାମିଲ ରହିଛି । ତେବେ ରଣଜୀ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରର ତିନୋଟି ଫର୍ମାଟ ଏଥିରେ ରହିଛି । ରୋହିତଙ୍କ ଏହି ଦୁଇଟି ରେକର୍ଡରେ ବେଶ ଖୁସି ଅଛନ୍ତି ରୋହିତଙ୍କ ପ୍ରଂଶସକ । ସେପଟେ ରୋହିତଙ୍କ ଏହି ରେକର୍ଡ ପରେ ବିଭିନ୍ନ ଶୁଭେଛା ମାନ ଛୁଟି ଆସିଛି । ରୋହିତ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ତିନୋଟି ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ଭାରତ ୫ଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ତିନୋଟି ଜିତି ସିରିଜ ହାତେଇ ସାରିଛି । ତେବେ ଆଗାମି ଦୁଇଟି ମ୍ୟାଚକୁ ମଧ୍ୟ ଜିତି ସିରିଜକୁ ମୂଳ ପୋଛ କରିବା ଲକ୍ଷରେ ବିରାଟ ବାହିନୀ । ଘରୋଇ ଦଳ ଶେଷ ଦୁଇଟି ମ୍ୟାଚ ଜିତି ସମ୍ମାନ ବଜାୟ ଲକ୍ଷରେ ପଡିଆକୁ ଓହ୍ଲାଇବ ।